ଅଧାରାସ୍ତାରେ ଆମ୍ବୁଲାନ୍ସରେ ତେଲ ସରିଯିବାରୁ ପ୍ରାଣ ହରାଇଲେ ମାଆ ଏବଂ ଗର୍ଭସ୍ଥ ଶିଶୁ

ବାରିପଦା: ଅଧା ରାସ୍ତାରେ ଆମ୍ବୁଲାନ୍ସରେ ତେଲ ସରିଯିବାରୁ ପ୍ରାଣ ହରାଇଲେ ମାଆ ଏବଂ ଗର୍ଭସ୍ଥ ଶିଶୁ। ଗର୍ଭବତୀ ମାଆ ବାରିପଦା ମେଡିକାଲକୁ ଆସୁଥିଲେ। ହସ୍ପିଟାଲରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଅଧା ବାଟରେ ଚାଲିଗଲା ମାଆ ଓ ଶିଶୁଙ୍କ ଜୀବନ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ଆଖି ବୁଜିଦେଲା ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ।

ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ହାଣୁଦାର ତୁଳସୀ ମୁଣ୍ଡାଙ୍କ ଗତକାଲି ରାତି ୧୧ଟା ବେଳେ ପ୍ରସବ ବେଦନା ହୋଇଥିଲା । ଏହା ପରେ ତାଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ବାରିପଦା ମେଡିକାଲ ନେବାକୁ କହିଥିଲେ ।

ଏହା ପରେ ୧୦୮ ଆମ୍ବୁଲାନ୍ସ ନମିଳିବାରୁ ବାଙ୍ଗିରିପୋଷି ମେଡିକାଲର ଆମ୍ବୁଲାନ୍ସରେ ହିଁ ତାଙ୍କୁ ନିଆଯାଇଥିଲା । କିନ୍ତୁ ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଫଳରେ ଘଣ୍ଟାଏରୁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସଟି ରାସ୍ତାରେ ଅଟକି ରହିଥିଲା । ଏହା ପରେ ଆଶା ଦିଦି ଆଉ ଏକ ଆମ୍ବୁଲାନ୍ସକୁ ଡାକିଥିଲେ । କିନ୍ତୁ ସେହି ଆମ୍ବୁଲାନ୍ସଟି ବି ପହଞ୍ଚିବାକୁ ଘଣ୍ଟାଏ ଲାଗିଥିଲା । ଫଳରେ ପ୍ରସବ ବେଦନା ସହି ନପାରି ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଚାଲିଯାଇଥିଲା ପ୍ରସୂତି ଓ ତାଙ୍କ ଗର୍ଭସ୍ଥ ଶିଶୁର ଜୀବନ । ମେଡିକାଲ କୃର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭବଯୋଗୁଁ ତାଙ୍କ ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଏକଥାକୁ ମୟୂରଭଞ୍ଜ ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ ସତ ବୋଲି ସ୍ବୀକାର କରିବା ସହ ଆମ୍ବୁଲାନ୍ସରେ ତେଲ ଥିଲା ,କିନ୍ତୁ ତେଲ ପାଇପ୍ ଫାଟିଯିବାରୁ ଏଭଳି ଅସୁବିଧା ହୋଇଥିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର