ଆଜି ମହାନଦୀ ମାମଲାର ଶୁଣାଣି

ସୁପ୍ରିମକୋର୍ଟଙ୍କ ଉପରେ ନଜର

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ବିଚାରପତି ଏସ୍‌.ଏ. ବବ୍‌ଡେ ଓ ବିଚାରପତି ଏଲ୍‌.ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ଶୁଣାଣି କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ବୋଲି ସତ୍ୟପାଠ ଦାଖଲ କରିବା ତଥା ପ୍ରତିଜବାବ ଦ୍ୱାରା ଓଡ଼ିଶା ସୁପ୍ରିମକୋର୍ଟରେ ଉତ୍ତର ରଖି ଟ୍ରିବ୍ୟୁନାଲ ଗଠନ ଆଇନ୍‌ଗତ ବାଧ୍ୟତାମୂଳକ ବୋଲି କାଉଣ୍ଟର କରିବା ପରିପ୍ରେକ୍ଷୀରେ ଆସନ୍ତାକାଲି କୋର୍ଟ କେଉଁ ଅଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଛତିଶଗଡ଼ ପକ୍ଷରୁ ପ୍ରତିଷ୍ଠିତ ଆଇନଜୀବୀମାନଙ୍କୁ ନିୟୋଜିତ କରାଯାଇ ସେମାନଙ୍କର ପକ୍ଷକୁ ବଳିଷ୍ଠ ରୂପେ ଉପସ୍ଥାପନା କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି । ଓଡ଼ିଶା ପକ୍ଷରୁ ଜଣାଶୁଣା ଓକିଲ ହରିଶ ସାଲ୍‌ଭେ, ରାକେଶ ଦ୍ୱିବେଦୀ ଓ ଇ.ସି. ଦ୍ୱିବେଦୀ ମାମଲାର ପରିଚାଳନା ପାଇଁ ନିୟୋଜିତ କରାଯିବାର ସମ୍ଭାବନା ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ଣ୍ଣୀ ପକ୍ଷ ରଖିବେ। ଛତିଶଗଡ଼ ପକ୍ଷରୁ ବରିଷ୍ଠ ଓକିଲ ସି.ଏସ୍‌.ବୈଦ୍ୟନାଥଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ଗତ ବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ଅରିଜିନାଲ ସୁଟ ଦାଖଲ କରି ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଉପରେ ରହିତାଦେଶ ଜାରି କରିବା ସହ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବା ନିମନ୍ତେ ଦାବି କରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଚଳିତ ବର୍ଷ ଏପ୍ରିଲ ମାସରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ଅଦାଲତ ପାଞ୍ଚ ଥର ଏହି ମାମଲାର ଶୁଣାଣି କରିସାରିଛନ୍ତି। ଯଦିଓ ଏ ନେଇ ଅଦାଲତରେ ଓଡ଼ିଶା ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ତଥାପି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣଧୀନ ବ୍ୟାରେଜ ଉପରେ ସୁପ୍ରିମକୋର୍ଟ କୌଣସି ରହିତାଦେଶ ଜାରି କରିନାହାନ୍ତି। ଅପରପକ୍ଷେ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ତତ୍ପରତା ପ୍ରଦର୍ଶନ କରିବା ପାଇଁ ଖଣ୍ଡପୀଠ କହିଥିଲେ । ଫଳସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ତଥା କ୍ୟାବିନେଟ ଚିଠା ପ୍ରସ୍ତୁତ ହୋଇସାରିଥିବାର ମଧ୍ୟ ଅଗଷ୍ଟ ୮ ତାରିଖର ଶୁଣାଣି ବେଳେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା । ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ବିଜ୍ଞପ୍ତି ନଭେମ୍ବର ୧୯ ତାରିଖ ସୁଦ୍ଧା ପ୍ରକାଶ କରିବେ ବୋଲି ଜଣାଇଥିଲେ ।

କିନ୍ତୁ ଅକ୍ଟୋବର ୧୯ ସୁଦ୍ଧା କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଯାହାର କାରଣ ଦର୍ଶାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଚଳିତ ମାସ ପ୍ରଥମ ସପ୍ତାହରେ ସତ୍ୟପାଠ ଦାଖଲ କରି ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ଓ ବୁଝାମଣା ଜରିଆରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଉ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଓଡ଼ିଶା ଦ୍ୱାରା ତୀବ୍ର ସମାଲୋଚନା କରାଯାଇଛି ଏବଂ ସର୍ବୋଚ୍ଚ ଅଦାଲତରେ ଜବାବ ମଧ୍ୟ ଦାଖଲ କରାଯାଇଛି । ଆସନ୍ତାକାଲିର ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋର୍ଟରେ ଦେଇଥିବା ବୟାନରୁ ଓହରି ଯାଇଥିବାରୁ ଅଦାଲତ ଅବମାନନା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ଆଇନ୍‌ଗତ ଦିଗକୁ ଅନୁଧ୍ୟାନ କରି ଶୀଘ୍ର ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ଆଦେଶ ଜାରି କରିବେ, ସେ ନେଇ ଅଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର