ଚାକିରି ବଞ୍ଚାଇବାକୁ ଅଭାବନୀୟ କାଣ୍ଡ: ଚତୁର୍ଥ ପିଲାକୁ ନାଳରେ ପକାଇଲେ ଦମ୍ପତି

ବିକାନେର: ରାଜସ୍ଥାନର ବିକାନେର ଜିଲ୍ଲାରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସେମାନଙ୍କ ସାଢ଼େ ତିନି ବର୍ଷର ଝିଅକୁ ନାଳରେ ଫୋପାଡ଼ି ହତ୍ୟା କରିଛନ୍ତି। ଦୁଇରୁ ଅଧିକ ସନ୍ତାନ ହେତୁ ଚାକିରି ଚାଲିଯିବା ଭୟରେ ସେମାନେ ଏପରି କାମ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ କହିଛନ୍ତି ଯେ ସନ୍ଧ୍ୟା ବେଳେ ଦମ୍ପତି ପିଲାକୁ ଧରି ବାଇକ୍‌ରେ ଆସିଲେ ଓ ପିଲାକୁ ନାଳରେ ପକାଇଦେଲେ। ସେଠାରେ ଥିବା ଲୋକମାନେ ପାଟି କଲାବେଳକୁ ଦମ୍ପତି ବାଇକ୍‌ରେ ସେଠାରୁ ପଳାଇଗଲେ। ଲୋକମାନେ ପିଲାକୁ ନାଳରୁ ଉଦ୍ଧାର କରିଥିଲେ ମଧ୍ୟ ସେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଦମ୍ପତିଙ୍କୁ ଖୋଜାଖୋଜି କରିଥିଲା ଏବଂ ୨୦ କିମି ଦୂରରେ ସେମାନଙ୍କ ବାଇକ୍‌କୁ ଠାବ କରିବା ସହ ଦମ୍ପତିଙ୍କୁ ଗିରଫ କରିଥିଲା। ସେମାନେ ହେଉଛନ୍ତି ଝୱରଲାଲ (୩୫) ଓ ଗୀତା ଦେବୀ (୩୩)।

ସୂଚନାଯୋଗ୍ୟ ଯେ ଝୱରଲାଲ ଏକ ସ୍କୁଲରେ ଠିକା ଭିତ୍ତିରେ କାମ କରେ। ଚାକିରି କଲାବେଳେ ସେ ସତ୍ୟପାଠରେ ଦର୍ଶାଇଥିଲା ଯେ ତା’ର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ପ୍ରକୃତରେ ସେତେବେଳେ ତା’ର ତିନୋଟି ସନ୍ତାନ ଥିଲେ। ଚାକିରି ବଞ୍ଚାଇବାକୁ ସେ ତା’ର ତୃତୀୟ ସନ୍ତାନ (୮ ବର୍ଷର ଝିଅ)କୁ ତା’ର ଭାଇକୁ ପୋଷ୍ୟ କରି ଦେଇଥିବା ବେଳେ ଚତୁର୍ଥ ସନ୍ତାନକୁ ନାଳରେ ପକାଇ ହତ୍ୟା କରିଛି।

ସମ୍ବନ୍ଧିତ ଖବର