ସାବଧାନ! ଚାଇନା ଡ୍ରୋନ୍‌କୁ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ୟବହାର କରିପାରେ ପାକ୍‌; ହାଇ-ଆଲର୍ଟରେ ସୁରକ୍ଷା ଏଜେନ୍‌ସି

ନୂଆଦିଲ୍ଲୀ: ପାକିସ୍ତାନ ଚୀନ୍‌ ଠାରୁ ଅଧିକ ସଂଖ୍ୟାରେ ଡ୍ରୋନ୍‌ କିଣିଥିବା ଖବର ପ୍ରକାଶ ପାଇବା ପରେ ଏବେ ଦେଶର ସୁରକ୍ଷା ଏଜେନ୍‌ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ପାକିସ୍ତାନ ସମ୍ଭବତଃ ଭାରତୀୟ ଅଞ୍ଚଳ ଭିତରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ପକାଇବା ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏଗୁଡ଼ିକୁ ବ୍ୟବହାର କରିପାରେ ବୋଲି ଦେଶର ଗୁଇନ୍ଦା ସଂସ୍ଥା ଅତି ବିଶ୍ୱସ୍ତ ସୂତ୍ରରୁ ତଥ୍ୟ ପ୍ରମାଣ ସହ ଖବର ସଂଗ୍ରହ କରିବାରେ ସମର୍ଥ ହୋଇଛି।

ସୋମବାର ଅପରାହ୍ନରେ ଆବୁଧାବି ବିମାନବନ୍ଦର ନିକଟରେ ଏକ ସନ୍ଦିଗ୍ଧ ହାଉଥି ଡ୍ରୋନ୍‌ ଆକ୍ରମଣରେ ଦୁଇ ଜଣ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଏବଂ ଅନ୍ୟ ଛଅ ଜଣ ଆହତ ହେବା ପରେ ସୁରକ୍ଷା ଏଜେନସି ପକ୍ଷରୁ ଏହି ହାଇ-ଆଲର୍ଟ ଜାରି କରାଯାଇଛି। ଏହି ଘଟଣା ପରେ ଦେଶର ସୁରକ୍ଷା ଏଜେନ୍‌ସିଗୁଡିକ ଏବେ ଆଶଙ୍କା କରୁଛନ୍ତି ଯେ ପାକିସ୍ତାନ ମଧ୍ୟ ଭାରତରେ ସମାନ ଢ଼ଙ୍ଗରେ ଡ୍ରୋନ୍‌ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରବ।

ଭାରତୀୟ ଗୁଇନ୍ଦା ଏଜେନସି ହାତରେ ଲାଗିଥିବା ଦସ୍ତାବିଜ ଅନୁଯାୟୀ, ପାକିସ୍ତାନ ଚୀନରୁ ବିପୁଳ ସଂଖ୍ୟାରେ କିଣିଥିବା ନୂତନ ଉନ୍ନତ ଡ୍ରୋନ୍‌ ବର୍ଷା ଋତୁରେ ମଧ୍ୟ ଉଡ଼ିପାରିବ। ଏହି ଡ୍ରୋନ୍‌ଗୁଡ଼ିକ ଭୂମିଠାରୁ ୮୦୦ ମିଟର ଉଚ୍ଚତାରେ ଏକ ସମୟରେ ୧୫ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ। ପୁଣି. ଏହି ଡ୍ରୋନ୍‌ଗୁଡ଼ିକର ଡିଜାଇନ୍‌ ଏପରି ବାଗରେ ହୋଇଛି ଯେ ଏଗୁଡିକୁ ରାଡାରରେ ଧରାଯାଇପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପଞ୍ଜାବ ସୀମାରେ ନିକଟ ଅତୀତରେ ସୀମା ପାର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ପରିବହନ ପାଇଁ ଡ୍ରୋନ୍‌ ବ୍ୟବହାର ହେତୁ ସୁରକ୍ଷା ଏଜେନ୍‌ସିଗୁଡ଼ିକ କଠୋର ଆହ୍ଵାନର ସମ୍ମୁଖୀନ ହେଉଛନ୍ତି। ଏଜେନ୍‌ସି ରିପୋର୍ଟ ଅନୁଯାୟୀ, ପଞ୍ଜାବ ସେକ୍ଟରର ଭାରତ-ପାକିସ୍ତାନ ସୀମାରେ ପ୍ରାୟ ୬୦ଟି ଡ୍ରୋନ୍‌ ଘଟଣା ସୁରକ୍ଷା ବାହିନୀ ନଜରକୁ ଆସିଛି। ଏଗୁଡ଼ିକ ମଧ୍ୟରୁ ଅନେକଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ ଏଫ୍‌ ) ଗୁଳି କରି ଖସାଇ ଦେଇଛି।

ନିକଟରେ ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପାକିସ୍ତାନର ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍‌ସ (ଆଇଏସଆଇ) ଦେଶରେ ଚାଲିଥିବା ୫ ରାଜ୍ୟା ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଏହାର ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରିଛି। ସୁରକ୍ଷା ଏଜେନସିର ସୂତ୍ର ଆଧାରରେ ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ଆଇଏସଆଇ ସମର୍ଥିତ ଶିଖ ଆତଙ୍କବାଦୀ ଗୋଷ୍ଠୀ ନିର୍ବାଚନ ରାଲିକୁ ଟାର୍ଗେଟ କରିପାରନ୍ତି ଏବଂ ବଡ ରାଜନୈତିକ ନେତାମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିପାରନ୍ତି।
ଆଇଏସଆଇ ଆନ୍ତର୍ଜାତୀୟ ଶିଖ ୟୁଥ୍‌ ଫେଡେରେସନ୍‌ (ଆଇଏସ୍‌ ୱାଇଏଫ୍‌), ବବର ଖାଲସା ଇଣ୍ଟରନ୍ୟାସନାଲ୍‌ (ବିକେଆଇ) ପରି ଶିଖ ଉଗ୍ରବାଦୀ ଗୋଷ୍ଠୀକୁ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ମାଧ୍ୟମରେ ପଞ୍ଜାବରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର