କରୋନା ଟିକାର ଗୋଟିଏ ‌ଡୋଜ ୨୫୦ଟଙ୍କାରେ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: ଦେଶ ଓ ଦୁନିଆରେ କରୋନାଭାଇରସ ସଂକ୍ରମଣ ମାମଲା ବୃ୍ଦ୍ଧି ପାଉଥିବା ପରିସ୍ଥିତିରେ ପ୍ରତିଦିନ କରୋନା ଟିକାକୁ ନେଇ ବିଭିନ୍ନ ପ୍ରକାର ଭଲ ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ବିଶ୍ୱର ସର୍ବବୃହତ୍ତ ଔଷଧ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କରୋନା ଟିକାର ମୂଲ୍ୟକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ଯାଉଛି। ଯେଉଁଥି‌ରେ କରୋନା ଟିକାର ଗୋଟିଏ ଡୋଜ ଏବେ ୨୫୦ଟଙ୍କାରେ ମିଳିବ ବୋଲି ସମ୍ଭାବନା ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ପ୍ରସଙ୍ଗ ସହିତ ଜଡ଼ିତ ଲୋକଙ୍କ କହିବାନୁସାରେ ସରକାରଙ୍କୁ କରୋନା ଟିକାର ପ୍ରଚୁର ପରିମାଣରେ ବିତରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ଉପରେ  ବିଶ୍ବାସ ରହିଛି। ଏସଆଇଆଇ ସୋମବାର ଔପଚାରିକ ଆବେଦନ ଦେଇ ଆଷ୍ଟ୍ରାଜେନେକାର ଟିକା କୋଭିସିଲ୍ଡର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଛି।

ଏହାପୂର୍ବରୁ ସେରମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଅଦାର ପୁନାୱାଲା କହିଥି‌ଲେ, ଭାରତର ଘରୋଇ ବଜାରରେ ଟିକାର ମୂଲ୍ୟ ୧,୦୦୦ଟଙ୍କା ପ୍ରତି ଡୋଜ ରହିବ। କିନ୍ତୁ ଅଧିକ ବିତରଣ ପାଇଁ ଚୁକ୍ତି କରିଥିବା ସରକାର ଏହାକୁ କମ୍ ମୂଲ୍ୟରେ ବି କିଣି ପାରିବ। ତେବେ ଟିକା ବିତରଣ ପାଇଁ ସେରମ ତାଲିକାରେ ପ୍ରଥମେ ଭାରତ ରହିଛି। ସେରମ ଅନ୍ୟ ଦେଶକୁ ଟିକା ବିତରଣ ଅପେକ୍ଷା ଭାରତୀୟଙ୍କ ପାଇଁ ଅଧିକ ଜୋର ଦେବ।

କୋଭିଡ-୧୯ର ୯,୭୦୩,୭୭୦ ମାମଲା ସହିତ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ସୋମବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଫାଇଜର ଏବଂ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ହୋଇଥିବା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ସମୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର