ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ହ୍ରଦରେ ବୁଡି ୬ଜଣ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ

ମୁମ୍ବାଇ: କର୍ଣ୍ଣାଟକର  କୋଲାର ଗୋଲ୍ଡ ଫିଲ୍ଡସ୍‌ (କେଜିଏଫ୍‌) କ୍ୟାସାମ୍ବାଲି ହୋବଲି ନିକଟସ୍ଥ ମରଠାଘାଟ୍ଟା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଆଜି ଏକ ଅଘଟଣ ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ହ୍ରଦରେ ବୁଡି ଯିବା ହେତୁ ୬ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ବୟସ ୮ରୁ ୧୨ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ୬ଜଣଙ୍କ ମଧ୍ୟରେ ୪ ଜଣ ଝିଅ ଓ ୨ ଜଣ ପୁଅ ଥିଲେ। ମୃତକଙ୍କ ନାମ ରୋହିତ, ରଖିତା, ତେଜା, ବୈଷ୍ଣବୀ, ବୀଣା ଓ ଧନୁଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୮ ଜଣ ପିଲା ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଗ୍ରାମ ନିକଟସ୍ଥ ହ୍ରଦକୁ ଯାଇଥିଲେ। ବିସର୍ଜନ ପାଇଁ ୬ ଜଣ ପିଲା ପାଣି ଭିତରକୁ ଯାଇଥିବା ବେଳେ ଅନ୍ୟ ଦୁଇଜଣ ବାହାରେ ଛିଡା ହୋଇଥିଲେ। ବିସର୍ଜନ ସମୟରେ ଅସାବଧାନତା ହେତୁ ଜଣେ ପରେ ଜଣେ ୬ ଜଣ ପିଲା ହ୍ରଦରେ ବୁଡି ଯାଇଥିଲେ। ବାହାରେ ଥିବା ଦୁଇଜଣ ପିଲା ଆଖି ସାମ୍ନାରେ ସାଙ୍ଗ ପିଲାଙ୍କୁ ବୁଡି ଯାଉଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ।

ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହ୍ରଦ ଭିତରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ ହେଁ, ସେତେବେଳକୁ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ବାତାବରଣ ସୃଷ୍ଟି କରିଛି। ଛଅଜଣ ପିଲାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର