ନୂଆଦିଲ୍ଲୀ: ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ‘ସମାଜବାଦୀ ପରିବାର’କୁ ଫେରିବା ଘଟଣା ବିଜେପି ମୁହଁରେ ଏକ ‘ଶକ୍ତ ଚାପୁଡ଼ା’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆଞ୍ଚଳିକ ଦଳଗୁଡ଼ିକୁ ଭୟଭୀତ କରାଇ କିଣିବା ପାଇଁ ବିଜେପିର ପ୍ରୟାସ ପଛୁଆ ବର୍ଗ ଏବଂ ଦଳିତଙ୍କ ରାଜନୀତିକୁ ସମାପ୍ତ କରିବା ପାଇଁ ଉଦ୍ଦିଷ୍ଟ। କାରଣ ଏହିପରି ଅଧିକାଂଶ ଦଳ ସମାଜର ଏହିପରି ବର୍ଗର ପ୍ରତିନିଧିତ୍ୱ କରନ୍ତି।
ଆରଜେଡି ନେତା ତେଜସ୍ୱୀ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ନୀତୀଶ କୁମାରଙ୍କ ପୁରୁଣା ସମ୍ପର୍କକୁ ଉଦାହରଣ ଦେଇ କହିଛନ୍ତି, ଯିଏ ଚଳିତ ସପ୍ତାହ ପ୍ରାରମ୍ଭରେ ବିଜେପିକୁ ଫିଙ୍ଗିବା ପରେ ଜେଡିୟୁ-ଆରଜେଡି-କଂଗ୍ରେସ ’ମହାଗଠବନ୍ଧନ’ (ମହାମେଣ୍ଟ)କୁ ପୁନର୍ଜୀବିତ କରିଛନ୍ତି। ବିହାରରେ ବିଜେପି ବିରୋଧରେ ସମସ୍ତ ଦଳ ବର୍ତ୍ତମାନ ଗୋଟିଏ ପଟରେ ରହିଛନ୍ତି। ନୀତୀଶ-ଜୀ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ଏହା ବର୍ତ୍ତମାନ ସମଗ୍ର ଭାରତରେ ଘଟିବ ବୋଲି ତେଜସ୍ୱୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ନୀତୀଶ କୁମାରଙ୍କୁ ୨୦୨୪ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଚେହେରା ବୋଲି କହିବା ସହ ବିଜେପିର ବର୍ଷକୁ ୨ କୋଟି ଚାକିରି କୁଆଡ଼େ ଗଲା ଓ କ’ଣ ହେଲା ବୋଲି ପଚାରିଛନ୍ତି?
ସେ କହିଛନ୍ତି ଯେ ସେ ତାଙ୍କ ପିତାଙ୍କ ରାସ୍ତାରେ ଚାଲିଛନ୍ତି। ମୋ ପିତା ଲାଲୁ ପ୍ରସାଦ ଯାଦବ ମଧ୍ୟ ସାରା ଜୀବନ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ ଗରିବଙ୍କ ଉତ୍ଥାନ ପାଇଁ ଲଢିଛନ୍ତି। ଆରଜେଡି ସହ ମେଣ୍ଟକୁ ଫେରିବା ନିଷ୍ପତ୍ତି ନେଇ ନୀତୀଶ କୁମାର ମଧ୍ୟ ତାଙ୍କ ଆଦର୍ଶକୁ ବଞ୍ଚାଇଛନ୍ତି। ଆମେ ଗୋଟିଏ ପରିବାରର। ଆମେ ସମସ୍ତେ ସମାଜବାଦୀ ବୋଲି ତେଜସ୍ୱୀ ଯାଦବ କହିଛନ୍ତି।
ଯଦି ଦେଶରେ କୌଣସି ଆଞ୍ଚଳିକ ଦଳ ନରୁହେ, ତେବେ ଦେଶରେ କୌଣସି ବିରୋଧୀ ଦଳ ମଧ୍ୟ ରହିବ ନାହିଁ ଏବଂ ଏହା ଗଣତନ୍ତ୍ରକୁ ହତ୍ୟା କରିବ। ବିଜେପି ଆଞ୍ଚଳିକ ଦଳଗୁଡ଼ିକ ସହ ଗଣତନ୍ତ୍ରକୁ ହତ୍ୟାକରି ରାଜତନ୍ତ୍ର ପରି ଶାସନ କରିବାକୁ ଚାହୁଁଛି। ସେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଉଦାହରଣ ଦେଇ ବିଜେପି ସରକାର ଗଠନ ପାଇଁ କେନ୍ଦ୍ର ସରକାରଙ୍କ ଅନୁସନ୍ଧାନ ଏଜେନ୍ସିଗୁଡ଼ିକର ରାଜନୈତିକ ଅପବ୍ୟବହାର କରାଯାଉଥିବା ଅଭିଯୋଗ କରି ସେ କହିଛନ୍ତି, ଇଡି, ସିବିଆଇ ବର୍ତ୍ତମାନ ସ୍ଥାନୀୟ ପୁଲିସ ଷ୍ଟେସନ ଠାରୁ ଆହୁରି ତଳ ସ୍ତରକୁ ଖସି ଗଲେଣି।