ନୂଆଦିଲ୍ଲୀ: ସ୍ମାର୍ଟ ସିଟି ନିମନ୍ତେ ମନୋନୀତ ହୋଇଥିବା ୯୦ଟି ସହର ମଧ୍ୟରୁ ଅଧିକାଂଶ ନରେନ୍ଦ୍ର ମୋଦି ସରକାର ଦେଇଥିବା ଅର୍ଥ ଖର୍ଚ୍ଚ କରି ନାହାନ୍ତି। ଜୁନ୍ ୨୦୧୫ରୁ ଏହି ପ୍ରୋଜେକ୍ଟ କେନ୍ଦ୍ର ସରକାର ଆରମ୍ଭ କରିଥିଲା।
୨୦୨୨ ସୁଦ୍ଧା ୧୦୦ଟି ସ୍ମାର୍ଟ ସିଟି ପାଇଁ ଭାରତ ଯୋଜନା କରୁଛି। ମନୋନୀତ ହୋଇଥିବା ସହରଗୁଡ଼ିକ ନିମନ୍ତେ ୨୦୧୫-୧୬ରେ କେନ୍ଦ୍ର ସରକାର ୯, ୮୨୪ କୋଟି ଟଙ୍କା ଦେଇଛନ୍ତି। ସମ୍ପୃକ୍ତ ରାଜ୍ୟମାନେ ଏହି ଅର୍ଥ ସ୍ମାର୍ଟ ସିଟିପ୍ରୋଜେକ୍ଟ୍ କାମରେ ଖର୍ଚ୍ଚ କରିବା କଥା।
ସେ ବାବଦରେ ରାଜ୍ୟ ସରକାର ମଧ୍ୟ ମ୍ୟାଚିଙ୍ଗ୍ ଫଣ୍ଡ୍ ଯୋଗାଇ ଦେବା କଥା। ସହରର ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ଠାରୁ ଆରମ୍ଭ କରି ନିରବଚ୍ଛିନ୍ନ ବିଜୁଳି, ଜଳ, ଇଣ୍ଟର୍ନେଟ୍ ସଂଯୋଗ, ଇ-ଗଭର୍ଣ୍ଣନାନ୍ସ୍, ଆଧୁନିକ ସ୍ୱାସ୍ଥ୍ୟସେବା ଏବଂ ଉନ୍ନତ ଶିକ୍ଷା ଆଦିର ବ୍ୟବସ୍ଥା କରାଇ ସହରାଞ୍ଚଳ ଭାରତର ଜୀବନ ଯାପନ ପ୍ରଣାଳୀ ବଦଳାଇ ହେଉଛି ଏହାର ଲକ୍ଷ୍ୟ।
କିନ୍ତୁ, ରାଜ୍ୟ ସରକାରମାନେ କେନ୍ଦ୍ର ଦେଇଥିବା ପାଣ୍ଠିର ବହୁଳାଂଶ ପକାଇ ରଖିଛନ୍ତି। ଅଧିକ ସୁଧ ଉପାର୍ଜନ କରିବାକୁ ଏହି ଅର୍ଥକୁ ରାଜ୍ୟ ସରକାରଙ୍କର ସ୍ପେସାଲ୍ ପର୍ପୋଜ୍ ଭେଇକ୍ଲ୍ ସୁଇପ୍ ଆକାଉଣ୍ଟ୍ରେ ଜମା କରିଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଏହାର ଅର୍ଥ ସ୍ମାର୍ଟ ସିଟି ପ୍ରକଳ୍ପରେ ଅଧିକାଂଶ ସହରରେ ବିଶେଷ କିଛି କାର୍ଯ୍ୟ କରାଯାଇ ନାହିଁ। କେବଳ ଡିଟେଲ୍ ପ୍ରୋଜେକ୍ଟ୍ ରିପୋର୍ଟ ଏବଂ ଟେଣ୍ଡର୍ ଆମନ୍ତ୍ରଣ ଆରମ୍ଭ ହୋଇଛି। ଏହା ନିଶ୍ଚୟ ଚିନ୍ତାର ବିଷୟ ବୋଲି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି।
ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ୨୦୧୬ ମସିହା ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୬୦ଟି ସହର ଏବଂ ବାକି ୩୦ଟି ସହର ଜୁନ୍ ମାସରେ ମନୋନୀତ ହୋଇଥିଲା।
ପାଣ୍ଠି ପଡ଼ି ରହିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।
ବିଭିନ୍ନ ରାଜ୍ୟରେ ହେବାକୁ ଥିବା ସ୍ମାର୍ଟ ସିଟି ଅଭିଯାନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କାର୍ଯକୁ ସମୀକ୍ଷା କରିବାକୁ ସେପ୍ଟେମ୍ବର ୧୩ ତାରିଖ ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗୃହ ନିର୍ମାଣ ମନ୍ତ୍ରାଳୟର ମନ୍ତ୍ରୀ ହରଦୀପ ଏସ୍ ପୁରିଙ୍କୁ ପତ୍ର ଲେଖିଥିଲେ।
ଗୃହ ନିର୍ମାଣ ମନ୍ତ୍ରାଳୟର ସମୀକ୍ଷାରୁ ଜଣାପଡ଼ିଛି ଯେ ଗତ ବର୍ଷ ମନୋନୀତ ହୋଇଥିବା ୬୦ ରାଜ୍ୟର ସରକାରମାନେ କୌଣସି ପାଣ୍ଠି ଟ୍ରାନ୍ସ୍ଫର୍ କରି ନାହାନ୍ତି। ଅବଶ୍ୟ ଫରିଦାବାଦ, ଉଦୟପୁର, ଜବଲପୁର ଆଦି ସହର ଏମାନଙ୍କ ମଧ୍ୟରେ ବ୍ୟତିକ୍ରମ।
ସହରାଞ୍ଚଳ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର ଶର୍ମା ଏବେ ଗୃହନିର୍ମାଣ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି। ରାଜ୍ୟମାନଙ୍କ ସହ ଏ ସଂକ୍ରାନ୍ତରେ କଥାବାର୍ତ୍ତା ଚାଲିଥିବା କଥା ସେ କହିଛନ୍ତି।
ରାଜ୍ୟମାନଙ୍କୁ ଦିଆ ଯାଇଥିବା ପ୍ରଥମ କିସ୍ତି ଖର୍ଚ୍ଚ ନ କଲେ ଦ୍ୱିତୀୟ କିସ୍ତି ମିଳିବ ନାହିଁ ବୋଲି ସେ ରାଜ୍ୟ ସରକାରଙ୍କୁ କୁହା ଯାଇଛି ବୋଲି ସେ କହିଛନ୍ତି।
ସ୍ମାର୍ଟ ସିଟି ନିମନ୍ତେ ରାଜ୍ୟ ସରକାରମାନେ ନିଜେ ଦେବାକୁ ଥିବା ଅର୍ଥର ଭାଗ ରିଲିଜ୍ ନ କରିବା ହେଉଛି କାମ ଆରମ୍ଭରେ ବିଳମ୍ବ ହେବାର ଅନ୍ୟ ଏକ କାରଣ ବୋଲି ଶର୍ମା ମତ ଦେଇଛନ୍ତି।