କଲୋମ୍ବୋ ଆତ୍ମଘାତୀ ବିସ୍ଫୋରଣ: ଶ୍ରୀଲଙ୍କା ପୁଲିସ ବିଭାଗ ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କୁ ଇସ୍ତଫା ଦେବାକୁ କହିଲେ ରାଷ୍ଟ୍ରପତି ସିରିସେନା

କଲୋମ୍ବୋ: ଶ୍ରୀଲଙ୍କାର କଲୋମ୍ବୋରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରିପାଲା ସିରିସେନା ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଶୀର୍ଷ ଅଧିକାରୀଙ୍କୁ ଇସ୍ତଫା ଦେବା ଲାଗି ନିର୍ଦେଶ ଦେଇଛନ୍ତି। ସେ ଶ୍ରୀଲଙ୍କାର ପୁଲିସ ବିଭାଗର ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶ ଏହି ଦୁଇ ଅଧିକାରୀ ବିଦେଶୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଆକ୍ରମଣ ସଂପର୍କିତ ସୂଚନାକୁ ରାଷ୍ଟ୍ରପତି  ସିରିସେନାଙ୍କୁ ଜଣାଇ ନ ଥିଲେ। ଏଥିସହ ରାଷ୍ଟ୍ରପତି ଶ୍ରୀଲଙ୍କାର ପୁଲିସ ଓ ସେନାର ଶୀର୍ଷ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରିବେ ବୋଲି ସୂଚନା ମିଳିଛି।

ଅନ୍ୟ ପକ୍ଷରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ସର୍ବମୋଟ ୯ ଜଣ ଆତଙ୍କବାଦୀ ସାମିଲ ଥିଲେ। ଆଉ ଏଇ ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ରହିଥିଲେ। ମାନବ ବୋମା ଭାବେ ଏହି ମହିଳା ଆତଙ୍କବାଦୀ ଜଣକ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବା ପରେ ନିଜ ଶରୀରରେ ଖଞ୍ଜିଥିବା ଡିଟୋନେଟରରେ ବିସ୍ଫୋରଣ ଘଟାଇ ଏହି ଆତଙ୍କବାଦୀ ହାମ୍‌ଲା ଘଟାଇଥିଲେ। ଏବେ ଚର୍ଚ୍ଚର ବାହାରୁ ଏହି ମହିଳା ଆତଙ୍କବାଦୀଙ୍କ ଚପଲ ମିଳିବା ପରେ ଏହି ଘଟଣା ଜଣାପଡ଼ିଥିବା କହିଥିବା କହିଛନ୍ତି ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍‌ ଓ୍ଵାଜିଓ୍ଵର୍ଦ୍ଧନେ। 

NBT

ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୁଲିସ୍‌ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ଏଇ ୯ ଜଣ ଆତଙ୍କବାଦୀ କଲୋମ୍ବୋର ଚାରିଟି ପଞ୍ଚତାରକା ହୋଟେଲ ଓ ୩ଟି ଚର୍ଚ୍ଚରେ ସିରିଜ୍‌ ବିସ୍ଫୋରଣ ଘଟାଇ ଏହି ନରସଂହାର ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୫୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଏସ୍‌ ଘଟାଇଛି ବୋଲି ଦାବୀ କରୁଥିବା ବେଳେ ଶ୍ରୀଲଙ୍କାର ପୁଲିସ୍‌ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆମେ ୬୦ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛୁ; ତଦନ୍ତ ପରେ ହିଁ ଯାହା କିଛି ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର