୫୫ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ସୃଷ୍ଟି ହେଲେ…

ଭୋପାଳ: ପାଖାପାଖି ୫୫ ଘଣ୍ଟାର ଅପରେସନ ପରେ ଶେଷରେ ବୋରୱେଲରୁ ଅଢେଇ ବର୍ଷର ଝିଅକୁ ଉଦ୍ଧାର କରାଯାଇଛି | ହେଲେ କୁନି ଝିଅଟିର ମୃତ୍ୟୁ ହୋଇଯାଇଛି | ମଧ୍ୟପ୍ରଦେଶର ସିହୋରରେ ଏକ ବୋରୱେଲରେ ଖସିପଡ଼ିଥିବା ଅଢେଇ ବର୍ଷର ଝିଅକୁ ଯଦିଓ ଉଦ୍ଧାର କରାଯାଇଛି, କିନ୍ତୁ ଝିଅଟି ଆଉ ଜୀବିତ ନଥିବା ଜଣାପଡିଛି | ମଙ୍ଗଳବାର ଅପରାହ୍ନରେ କୁନି ଝିଅଟି ମୁଙ୍ଗାୱାଲି ଗାଁର ଏକ କ୍ଷେତରେ ୩୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ | ଏହାପରେ କୁନି ଝିଅ ସୃଷ୍ଟିକୁ ଉଦ୍ଧାର କରିବାକୁ ଏନଡିଆରଏଫ ଏବଂ ଏସଟିଆରଏଫ ଦଳ ମଧ୍ୟ ପହଞ୍ଚିଥିଲେ |

ଯେତେବେଳେ ଏନଡିଆରଏଫ ଓ ଏସଟିଆରଏଫ ଯବାନମାନେ ଉଦ୍ଧାର କରିବାରେ ସଫଳତା ପାଇନଥିଲେ, ସେତେବେଳେ ଗୁଜୁରାଟରୁ ଏକ ତିନି ଜଣିଆ ରୋବୋଟିକ୍ ଟିମ୍ ଆସି ଝିଅଟିକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଥିଲେ। କୁହାଯାଉଛି ଯେ ପ୍ରଥମେ କୁନି ଝିଅଟି ୨୭ ଫୁଟରେ ଫସି ରହିଥିଲା, କିନ୍ତୁ ଖନନ କାର୍ଯ୍ୟ ସମୟରେ ପଥର ଆସିବା ଏବଂ ପୋକଲେନ୍ ମେସିନ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ଯୋଗୁଁ ଝିଅଟି ଖସି ଖସି ୧୧୦ ଫୁଟ ଗଭୀରତାକୁ ଚାଲିଯାଇଥିଲା | ପରେ ସୃଷ୍ଟି ୧୫୦ ଫୁଟ ଗଭୀରକୁ ଚାଲିଯାଇଥିଲା | ତେବେ ଗୁଜୁରାଟରୁ ଆସିଥିବା ତିନିଜଣିଆ ରୋବୋଟିକ୍ ଦଳ ସୃଷ୍ଟିକୁ ଉଦ୍ଧାର କରିଥିଲେ | ଏହାପରେ ତୁରନ୍ତ କୁନି ଝିଅକୁ ଡାକ୍ତରଖାନାକୁ ନିଆଯାଇଥିଲା | ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ସମ୍ବନ୍ଧିତ ଖବର