ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଜାରି କଟକଣାକୁ ରାଜ୍ୟ ବଦଳାଇ ପାରିବନି

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିସହିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପର୍ଯ୍ୟାୟରେ ପୂର୍ବରୁ ଜାରି ବ୍ୟାପକ ଓ କଠୋର କଟକଣା ଆଦିକୁ ଯଥେଷ୍ଟ କୋହଳ କରାଯାଇଛି। ତେବେ, ଏହି କଟକଣାକୁ କୌଣସି ରାଜ୍ୟ ବଦଳାଇ ପାରିବେ ନାହିଁ ବୋଲିି କୁହାଯାଇଛି।

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକଡାଉନ କଟକଣାକୁ ଯଥେଷ୍ଟ କୋହଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରମାନେ ମନଇଚ୍ଛା ତାହାକୁ ଅଧିକ କୋହଳ ଓ ଏପଟସେପଟ କରିପାରିବେ ନାହିଁ। ଆବଶ୍ୟକ ପଡିଲେ ରାଜ୍ୟ ସରକାର ସମୂହ ସ୍ଥାନୀୟ ଆବଶ୍ୟକତା, ସ୍ଥିତି ଓ ବାସ୍ତବତାକୁ ବିଚାରକୁ ନେଇ କଟକଣାକୁ ଅଧିକ କଠୋର ଏବଂ କେତେକ କାମ ଉପରେ ନିଷେଧାଜ୍ଞା ଜାରି କରିପାରିବେ।

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସ୍ଥାନୀୟ ଭାବେ କୌଣସି ଜୋନ ନିର୍ଦ୍ଧାରଣ କରିବାବେଳେ ରାଜ୍ୟ ସରକାରମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ କାମ କରିବାକୁ ପଡିବ। ଏ କ୍ଷେତ୍ରରେ ଧାର୍ଯ୍ୟ ମାନଦଣ୍ଡ ଓ ନୀତିନିୟମ ଅବଶ୍ୟ ପାଳନୀୟ। ଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଭାବେ ବ୍ୟାପକ ପ୍ରଚାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର