ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ, ଭାରତକୁ ଆମେରିକାର ପ୍ରଶଂସା

ଓ୍ଵାସିଂଟନ୍‌: ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ଭାରତକୁ ଆମେରିକା ପ୍ରଶଂସା କରିଛି। ପାକିସ୍ତାନ ତରଫରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଭାରତ ସୀମାରେ ନିୟମିତ ଭାବେ ହିଂସାକାଣ୍ଡ ଘଟୁଛି। କିନ୍ତୁ ଭାରତ ଲଗାତର ଭାବେ ନିଜ ସାମର୍ଥ୍ୟ ଖଟାଇ ଏହାର କଡ଼ା ମୁକାବିଲା କରି ଅନ୍ୟ ରାଷ୍ଟ୍ର ପାଇଁ ଉଦାହରଣ ସୃଷ୍ଟି କରିଛି। ଏହା ବେଶ୍‌ ପ୍ରଶଂସାଯୋଗ୍ୟ ବୋଲି ଆମେରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି। ଆମେରିକା ଏହାର ବାର୍ଷିକ ‘କଣ୍ଟି୍ର ରିପୋର୍ଟ ଅନ୍‌ ଟେରରିଜମ୍‌’ରେ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଘରୋଇ କ୍ଷେତ୍ରରେ ନିୟନ୍ତ୍ରଣ ପାଇଁ ଭାରତ ସୁଚିନ୍ତିତ ପଦକ୍ଷେପ ନେଇଛି। ସେହିଭଳି ଏହି କାର୍ଯ୍ୟକଳାପ ଯୋଗୁ ପ୍ରଭାବିତ ହେଉଥିବା ଲୋକଙ୍କୁ ମଧ୍ୟ ଏହା ନ୍ୟାୟ ଦେଇପାରିଛି। ଖାଲି ସେତିକି ନୁହେଁ, ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍ପରତା ଦେଖାଉଥିବା ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଏହା ନିୟମିତ ପରାମର୍ଶ ଓ ସହଯୋଗ କରିଆସୁଛି। ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ଦେଶର ଉତ୍ତରପୂର୍ବ ରାଜ୍ୟ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଉଭୟ ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପକୁ ଭାରତ ସୁଚାରୁରୂପେ ନିୟନ୍ତ୍ରଣ କରୁଛି। ପ୍ରାୟ ପ୍ରତ୍ୟେକ ଦିନ ଆତଙ୍କବାଦୀ କିମ୍ବା ମାଓବାଦୀମାନେ ହିଂସାକାଣ୍ଡ ଘଟାଉଥିବା ବେଳେ ଭାରତୀୟ ସୁରକ୍ଷା ବାହିନୀ ତାହାର ଜବାବ ଦେଉଛନ୍ତି। ଏହା ମଧ୍ୟ ବେଶ୍‌ ପ୍ରଶଂସାଯୋଗ୍ୟ।  ଅଲ୍‌-କାଏଦା, ଆଇଏସ୍‌ଆଇଏସ୍‌, ଜୈଶ୍‌-ଏ-ମହମ୍ମଦ, ଲସ୍କର-ଏ-ତଇବା ଏବଂ ଡି-କମ୍ପାନି ଭଳି ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ହେଉଥିବା ଆକ୍ରମଣର ମୁକାବିଲା ପାଇଁ ଆମେରିକା ଓ ଭାରତ ୨୦୧୭ରେ ହାତ ମିଳାଇଥିଲେ। କ୨୦୧୭ ଜୁନ୍‌ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର