ପ୍ରଧାନମନ୍ତ୍ରୀଙ୍କୁ କହିଲେ ରାହୁଲ; କ୍ୟାମେରା ପାଇଁ ପୋଜ୍‌ ନ ଦେଇ ଦୁଇ ସପ୍ତାହ ଧରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରନ୍ତୁ

ନୂଆଦିଲ୍ଳୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି କି ଫଟୋ ପାଇଁ ପୋଜ୍‌ ଦେବା ଛାଡ଼ି ଡିସେମ୍ବର ୧୩ ତାରିଖରେ ମେଘାଳୟରେ ହୋଇଥିବା ବନ୍ୟା କାରଣରୁ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା କଥା ଚିନ୍ତା କରନ୍ତୁ। ସେ ଅଭିଯୋଗ ଆଣିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ଉଚ୍ଚ-ଚାପ ପମ୍ପର ପ୍ରୟୋଗ କରୁନାହାନ୍ତି।

ପଡ଼ୋଶୀ ରାଜ୍ୟ ଆସାମରେ ଥିବା ବ୍ରହ୍ମପୁତ୍ର ନଦୀ ବୋଗିବିଲ୍‌ ପୋଲର ଉଦ୍‌ଘାଟନ କରିବା ସମୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି କ୍ୟାମେରା ପୋଜ୍‌ ଦେଉଥିବାରୁ ତାଙ୍କୁ ଆକ୍ଷେପ କରି ରାହୁଲ ଏପରି ମନ୍ତବ୍ୟ ଦେଇଛନ୍ତି।

ରାହୁଲ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଟୁଇଟ୍‌ କରି କହିଛନ୍ତି କି ‘ଦୁଇ ସପ୍ତାହ ହେଲା ୧୫ ଜଣ ଖଣି ଶ୍ରମିକ ଭିତରେ ଫସି ରହି ଅମ୍ଳଜାନ ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ବୋଗିବିଲ୍‌ ପୋଲର ଉଦ୍‌ଘାଟନ ସମୟରେ କ୍ୟାମେରା ପାଇଁ ପୋଜ୍‌ ଦେଇଛନ୍ତି। ସରକାର ଉଦ୍ଧାର କାର୍ଯ୍ୟ ପାଇଁ ଉଚ୍ଚ-ଚାପ ପମ୍ପ ବିନିଯୋଗ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ଦୟାକରି ଶ୍ରମିକମାନଙ୍କ ଜୀବନ ରକ୍ଷା କରନ୍ତୁ।’

ଉପକରଣର ଅଭାବ ରହିଥିବା ହେତୁ ଫସି ରହିଥିବା ନାବାଳକମାନଙ୍କ ଉଦ୍ଧାର ହୋଇ ପାରୁନାହିଁ ବୋଲି ରାହୁଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟସ୍ଥ ଲିୟାଟିନ୍‌ ନଦୀରୁ ପାଣି ଆସି ଡିସେମ୍ବର ୧୩ ତାରିଖରେ କୋଇଲା ଖଣିରେ ପସି ଯିବା ହେତୁ ସେଠାରେ ୧୫ ଜଣ ଫସି କରି ରହିଛନ୍ତି।

ସମ୍ବନ୍ଧିତ ଖବର