ବତାସ ଯୋଗୁଁ ତାଜମହଲ ମୁଖ୍ୟ ଫାଟକର ମୀନାର ଏବଂ ଗମ୍ବୁଜ କ୍ଷତିଗ୍ରସ୍ତ

ଆଗ୍ରା: ବୁଧବାର ସନ୍ଧ୍ୟାରେ ଅଚାନକ ୧୩୦ କିଲୋମିଟର ବେଗରେ ବତାସ ବହିବାରୁ ତାଜମହଲର ଦକ୍ଷିଣ ଏବଂ ରୟଲ୍‌ ଗେଟ୍‌ରେ ଥିବା ପଥର ମୀନାର କ୍ଷତିଗ୍ରସ୍ତ ହୋଇଛି।

ସନ୍ଧ୍ୟା ସାଢ଼େ ସାତଟା ବେଳେ ବତାସ ଯୋଗୁଁ ଦକ୍ଷିଣ ଫାଟକରେ ଥିବା ମୀନାରଗୁଡ଼ିକ ମଧ୍ୟରୁ ଗୋଟିଏ ଖସି ପଡ଼ିବା ସହ ଗୋଟାଏ ଧଳା ଗମ୍ବୁଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ମୁଖ୍ୟ ଫାଟକର ଅଂଶ ଧାତବ ଚୂଡ଼ା ଥିବା ଏକ ୧୨ ଫୁଟ୍‌ ଉଚ୍ଚ ମୀନାର ପବନର ବେଗ ଯୋଗୁଁ ଉଡ଼ି ଯାଇଥିଲା। ଏହି ମୁଖ୍ୟ ଫାଟକକୁ ’ଦର୍‌ଓ୍ଵାଜା-ଏ-ରଉଜା ମଧ୍ୟ କୁହାଯାଏ। ଏହି ରୟଲ୍‌ ଫାଟକ ବାଟେ ହିଁ ପର୍ଯ୍ୟଟକମାନେ ପ୍ରଥମେ ସପ୍ତଦଶ ଶତାବ୍ଦୀ ମୋଗଲ ଯୁଗର ସ୍ମାରକୀକୁ ଦେଖନ୍ତି।

ମୁଖ୍ୟଫାଟକ ଦରଓ୍ଵାଜା-ଏ-ରଉଜା ମୁଖ୍ୟତଃ ଶଙ୍ଖମର୍ମରରେ ନିର୍ମିତ ଏକ ପ୍ରକାଣ୍ଡ ଭାସ୍କର୍ଯ୍ୟ ଏବଂ ସେକାଳର ମୋଗଲ ସ୍ଥାପତ୍ୟର ସ୍ମାରକୀ। ଏହାର ଖିଲାଣ ତାଜମହଲର ଖିଲାଣ ପରି।

ପୂର୍ବରୁ ୨୦୧୬ରେ ମଧ୍ୟ ତାଜମହଲର ମୀନାରଗୁଡ଼ିକ ମଧ୍ୟରୁ ଗୋଟିଏ କ୍ଷତିଗ୍ରସ୍ତ ହୋଇଥିଲା। ସଫେଇ ବେଳେ ଏଥିରେ ଅସୁବିଧା କରାଯାଇଥିବାରୁ ଭାଙ୍ଗି ପଡ଼ିଥିବା କୁହାଯାଉଥିବା ବେଳେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କିନ୍ତୁ, ଏହାକୁ ମାଙ୍କଡ଼ମାନେ ଦୁର୍ବଳ କରି ଦେଇଥିବା କଥା କହିଥିଲେ।

ସମ୍ବନ୍ଧିତ ଖବର