ଯୌନ ନିର୍ଯାତନା ମାମଲା: ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗ ଭିତ୍ତିହୀନ ବୋଲି ଏହି ମାମଲାର ତଦନ୍ତ କରୁଥିବା ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ରାୟ ଦେଇଛନ୍ତି। ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର କୌଣସି ଭିତ୍ତି ନାହିଁ ବୋଲି ତଦନ୍ତାକାରୀ ଆଭ୍ୟନ୍ତରୀଣ କମିଟି କହିଛନ୍ତି। ଏପ୍ରିଲ ୧୯ରେ ସୁପ୍ରିମ କୋର୍ଟର ମହିଳା କର୍ମଚାରୀଙ୍କ ଦ୍ୱାରା ଗୋଗୋଇଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର କୌଣସି ବଳିଷ୍ଠ ପ୍ରମାଣ ନଥିବା କମିଟି ସ୍ପଷ୍ଟ କରିଛନ୍ତି। ସୁପ୍ରିମ କୋର୍ଟର ଏହି ରାୟ ପରେ ଅଭିଯୋଗ ଆଣିଥିବା ମହିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ଘୋର ଅନ୍ୟାୟ । ସେ କୋର୍ଟର ଏହି ରାୟ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସେ ଯାହା ଆଶଙ୍କା କରୁଥିଲେ ତାହା ହୋଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରୁ ତାଙ୍କର ଭରସା ଚାଲିଯାଇଛି। ସେ ତାଙ୍କ ଆଡ଼ଭୋକେଟ୍‌ଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ପୀଡିତା ମହିଳା କହିଛନ୍ତି। ସୁପ୍ରିମ୍‌ କୋର୍ଟର ଜଣେ ପୂର୍ବ ମହିଳା କର୍ମଚାରୀ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେ, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇ ମାମଲାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ବେଳେ ପ୍ରଧାନ ବିଚାରପତି ଗୋଗୋଇ କମିଟିକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ। ତେବେ ସମ୍ପୃକ୍ତ ମହିଳା ଜଣକ ବିଭିନ୍ନ କାରଣ ଦର୍ଶାଇ ତଦନ୍ତ ପ୍ରକ୍ରିୟାରୁ ଓହରିଯାଇଥିଲେ।

‘ଷଡ଼ଯନ୍ତ୍ର’ର ଶୁଣାଣି ହେବ
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର ଶୁଣାଣି ହେବ ବୋଲି ଜଷ୍ଟିସ ଏସ୍‌ଏ ବୋବ୍‌ଡେ ଏବଂ ଏସ୍‌ ଅବଦୁଲ ନଜିର୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ତେବେ ଏହାର ତତ୍କାଳୀନ ଶୁଣାଣିକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମ କୋର୍ଟ। ସୂଚନା ଥାଉକି, ଏମ୍‌ଏଲ୍‌ ଶର୍ମା ଗୋଗୋଇଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର ଶୁଣାଣି ଅତି ଶୀଘ୍ର କରିବା ସହ ଏଥି ନେଇ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦେଶ ଦେବାକୁ ସତ୍ୟପାଠ ଦ୍ୱାରା ଆବେଦନ କରିଥିଲେ। ଶର୍ମା ଅଭିଯୋଗ କରିଥିଲେ ଯେ, ଗୋଗୋଇଙ୍କ ବିରୋଧରେ ପ୍ରଶାନ୍ତ ଭୂଷଣ, ଶାନ୍ତି ଭୂଷଣ, କାମିନୀ ଜୈସ୍ବାଲ, ବୃନ୍ଦା ଗ୍ରୋଭର୍‌, ଇନ୍ଦିରା ଯୈସିଂହ, ନିନା ଗୁପ୍ତା ଭାସିନ୍‌ ଏବଂ ଦୁଷ୍ୟନ୍ତ ଦାଭେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରିଛନ୍ତି। ଏହା ଅଦାଲତର ଅବମାନନା ସହ କୋର୍ଟର ଅନ୍ୟ ବିଚାରପତିମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କରାଯାଇଛି। ଯେଉଁ ଖଣ୍ଡପୀଠ ଉତ୍ସବ ବେଂସଙ୍କ ଅଭିଯୋଗର ଶୁଣାଣି କରୁଛନ୍ତି। ସେହି ଖଣ୍ଡପୀଠ ଦ୍ବାରା ହିଁ ଷଡ଼ଯନ୍ତ୍ର ମାମଲାର ଶୁଣାଣି ପାଇଁ ସେ ନିବେଦନ କରିଥିଲେ। ସୂଚନା ଥାଉକି, ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ନେଇ ପ୍ରଥମେ ଅଭିଯୋଗ ଆଣି ଉତ୍ସବ ସତ୍ୟପାଠ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଜଣେ ପ୍ରଭାବଶାଳୀ ଶିଳ୍ପପତି ଏବଂ ଅନ୍ୟମାନେ ଗୋଗୋଇଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ତେବେ ସୁପ୍ରିମ କୋର୍ଟର ଖଣ୍ଡପିଠ ସ୍ପଷ୍ଟ କରି କହିଛନ୍ତି, ଏହି ମାମଲା ସିବିଆଇକୁ ଦିଆଯିବକି ନାହିଁ ତାହା ବିଚାର କରାଯିବ ଏବଂ କେଉଁ ଖଣ୍ଡପୀଠ ଦ୍ୱାରା ତାଙ୍କ ମାମଲାର ଶୁଣାଣି କରାଯିବ ତାହା ମଧ୍ୟ ପରବର୍ତ୍ତୀ ସମୟରେ ସ୍ଥିର ହେବ।

ସମ୍ବନ୍ଧିତ ଖବର