ଟୋକିଓ ବିଶ୍ୱର ସବୁଠୁ ନିରାପଦ ସହର

ନୂଆଦିଲ୍ଲୀ ସ୍ଥାନ ୪୩ରେ, ମୁମ୍ବାଇ ୪୫ରେ

ନୂଆଦିଲ୍ଲୀ : ଜାପାନ ରାଜଧାନୀ ଟୋକିଓ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ନିରାପଦ ସହରର ମାନ୍ୟତା ହାସଲ କରିଛି। ଅପରପକ୍ଷେ, ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ୱାରା ପ୍ରସ୍ତୁତ ଏହି ୬୦ ସହର ବିଶିଷ୍ଟ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଆମେରିକାର କୌଣସି ସହର ରହିନାହିଁ। ତାଲିକାର ଶୀର୍ଷ ଆଡୁ ଟୋକିଓ ପଛକୁ ରହିଥିବା ଅନ୍ୟ ସହରଗୁଡ଼ିକ ହେଲା, ମାଦ୍ରିଦ, ବାର୍ସିଲୋନା, ଷ୍ଟକ୍‌ହୋମ୍‌, ଆମଷ୍ଟରଡାମ୍‌, ଜୁରିକ୍‌, ସିଙ୍ଗାପୁର, େଓ୍ଵଲିଂଟନ୍‌, ହଂକଂ, ମେଲବର୍ଣ୍ଣ ଓ ସିଡ୍‌ନି। ସେହିପରି ଏହି ନିରାପଦ ସହର ତାଲିକାରେ ଆମ ରାଜଧାନୀ ସହର ଦିଲ୍ଲୀର ସ୍ଥାନ ୪୩ ଏବଂ ମୁମ୍ବାଇର ସ୍ଥାନ ୪୫ରେ ରହିଥିବା ଜଣାଯାଇଛି।
ସହରବାସୀଙ୍କ ସ୍ୱାସ୍ଥ୍ୟ, ବ୍ୟକ୍ତିଗତ ସୁରକ୍ଷା ଏବଂ ଉପଲବ୍ଧ ଭିତ୍ତିଭୂମି ପରି ୪୯ ରକମ ମାପଦଣ୍ଡକୁ ଆଧାର କରି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ୨୦୧୭ ମସିହା ପାଇଁ ଏହି ନିରାପଦ ସୂଚକାଙ୍କ ତାଲିକା ପ୍ରସ୍ତୁତ କରିଛି। ଏପରିକି ବିଭିନ୍ନ ସହରରେ ଆତଙ୍କବାଦକୁ ସାମନା କରୁଥିବା ସହରବାସୀଙ୍କ ଅବସ୍ଥାକୁ ମଧ୍ୟ ବିଚାରକୁ ନିଆଯାଇଛି। ଦିନକୁ ଦିନ ସହରଗୁଡ଼ିକର ଲୋକସଂଖ୍ୟା ବଢ଼ିଚାଲିଥିବା ବେଳେ ସେମାନେ ସାମନା କରୁଥିବା ସୁରକ୍ଷା ପ୍ରସଙ୍ଗ ମଧ୍ୟ ଅତିଶୟ ହେଉଛି। ଟୋକିଓ ସହରର ଡିଜିଟାଲ୍‌ ସୁରକ୍ଷା ବ୍ୟବସ୍ଥା ସମସ୍ତଙ୍କ ଠାରୁ ଯଥେଷ୍ଟ ଆଗରେ ରହିଥିବା ବେଳେ ଏହାର ସ୍ୱାସ୍ଥ୍ୟ ସୁରକ୍ଷା ସୂଚକାଙ୍କରେ ଢେର ଉନ୍ନତି ଘଟିଛି। ଫଳରେ ଏହା କ୍ରମାଗତ ତୃତୀୟ ବର୍ଷ ଲାଗି ଶ୍ରେଷ୍ଠ ନିରାପଦ ସହର ହେବାର ଗୌରବ ଲାଭ କରିଛି। ଅପରପକ୍ଷେ, ଏହି ତାଲିକାରେ ମୁଖ୍ୟତଃ ଏସିଆ, ମଧ୍ୟ ପ୍ରାଚ୍ୟ ଏବଂ ଆଫ୍ରିକାର ସହରଗୁଡ଼ିକ ନିମ୍ନଭାଗକୁ ରହିଛନ୍ତି। ସେମାନଙ୍କ ମଧ୍ୟରେ ଢାକା, କରାଚି, ମାନିଲା, ହୋ ଚି ମିନ୍‌, ଜାକର୍ତ୍ତା, କାଏରୋ ଏବଂ ତେହେରାନ ସହର ରହିଛନ୍ତି।

ସମ୍ବନ୍ଧିତ ଖବର