ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ୧୧ ତାରିଖରେ ସୁପ୍ରିମ୍‌ କୋର୍ଟଙ୍କ ଶୁଣାଣି ଉପରେ ନିର୍ଭର କରୁଛି ସିବିଆଇ ତଦନ୍ତର ଭାଗ୍ୟ

ସୁନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗତକାଲି ମହାରାଷ୍ଟ୍ର ସରକାର ସୁପ୍ରିମ୍‌ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ସହ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ କରିବ କି ନାହିଁ, ତାହା ସୁପ୍ରିମ୍‌ କୋର୍ଟ ନିର୍ଦ୍ଧାରଣ କରିବେ ଏବଂ ଏହାକୁ ନେଇ କଳ୍ପନା ଜଳ୍ପନା ନ କରି ବରଂ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ୍‌ ବୋଲି ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି।

ଅପରପକ୍ଷେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ପୁନର୍ବାର ଦୋହରାଇଛନ୍ତି। ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ କରିବା ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି। ତେବେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ହେବ ବୋଲି ସ୍ପଷ୍ଟ ହୋଇନାହିଁ। ସିବିଆଇ ଏହି ମାମଲାର ତଦନ୍ତ କରିବ କି ନାହିଁ, ଆସନ୍ତା ୧୧ ତାରିଖରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ଯାଇ ଜଣାପଡ଼ିବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଅନୁମୋଦନକ୍ରମେ ସିବିଆଇ ଏହି ମାମଲାର ତଦନ୍ତଭାର ନେଇ ସାରିଛି ।

ଏଥିସହ ସିବିଆଇ ଏକ ମାମଲା ମଧ୍ୟ ରୁଜ୍ଜୁ କରିଛି। ଏହି ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୭ ଜଣଙ୍କୁ ଅଭିଯୁକ୍ତ ଚିହ୍ନିତ କରାଯାଇଥିବା ସୂଚନା ରହିଛି। ଅନ୍ୟପକ୍ଷରେ  ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀ ମହାରାଷ୍ଟ୍ର ପୁଲିସ ସହ ସଂପର୍କରେ ଥିବା ସୂଚନା ବି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର