କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ୪ ଦିନ ପାଇଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟ ୪ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ମାନବିକତା ଦୃଷ୍ଟିରୁ ଚୂଡ଼ାନ୍ତ ଜାମିନ ଦେବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସୁଶୀଲ କୁମାରଙ୍କୁ ୧ ଲକ୍ଷ ଟଙ୍କାର ବଣ୍ଡ ଏବଂ ସମାନ ପରିମାଣର ଦୁଇଟି ଜାମିନରେ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ୨୦୨୧ ଜୁନ୍ ୨ ତାରିଖରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି ଯେ ଅଭିଯୁକ୍ତଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି ଏବଂ ତାଙ୍କର ଅନ୍ତିମ ସଂସ୍କାର କରାଯିବାକୁ ଥିବାରୁ ମାନବିକତା ଦୃଷ୍ଟିରୁ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୬ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ବ୍ୟକ୍ତିଗତ ବଣ୍ଡରେ ଅନ୍ତରୀଣ ଜାମିନରେ ମୁକ୍ତ କରାଯିବ। ଗତବର୍ଷ ଦିଲ୍ଲୀର ଏକ ଅଦାଲତ ସାଗର ଧନକର ହତ୍ୟା ମାମଲାରେ ଅଲିମ୍ପିଆନ୍ ସୁଶୀଲ କୁମାର ଏବଂ ଅନ୍ୟ ୧୭ ଜଣଙ୍କ ବିରୋଧରେ ବିଭିନ୍ନ ଧାରାରେ ଅଭିଯୋଗ ନିର୍ଦ୍ଧାରଣ କରିଥିଲେ ।

ଗତ ମେ ୪, ୨୦୨୧ରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ସୋନିପତନିବାସୀ ସାଗର ଧନକର ନାମକ ଜଣେ କୁସ୍ତିଯୋଦ୍ଧାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ତାଙ୍କ କିଛି ସହଯୋଗୀଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର