ବିମାନରେ ସିଟକୁ ନେଇ ପୁଣି ବିବାଦରେ ଫସିଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ: ସବୁ ବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସୁଥିବା ସାଧ୍ୱୀ ପ୍ରଜ୍ଞା ପୁଣି ଏକ ବିବାଦରେ ଫସିଛନ୍ତି । ବିମାନରେ ଯାତ୍ରା କରିବା ବେଳେ ତାଙ୍କ ସିଟକୁ ନେଇ ଦେଖାଦେଇଛି ଏହି ବିବାଦ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସାଧ୍ୱୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସଫେଇ ରଖିଛନ୍ତି ବିଜେପି ସାଂସଦ । କହିଛନ୍ତି ଯେ, ସେ ଅଧିକ ଟଙ୍କା ଦେଇ ବୁକ୍ କରିଥିବା ସିଟରେ ହିଁ ବସିଥିଲେ । ଦିଲ୍ଲୀରୁ ବିହାର ଯାଉଥିବା ସ୍ପାଇସଜେଟ ବିମାନରେ ସିଟକୁ ନେଇ ବିମାନ କର୍ମଚାରୀଙ୍କ ସହ ସାଧ୍ୱୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା ।

ଯାହାକୁ ନେଇ ବିମାନ ଭିତରେ ଧାରଣା ଦେଇଥିଲେ ବିଜେପି ସାଂସଦ । ଏହାପରେ ବିମାନର ଯାତ୍ରୀମାନେ ସାଧ୍ୱୀ ପ୍ରଜ୍ଞାଙ୍କୁ ଘେରିଯାଇଥିଲେ ଏବଂ ଜଣେ ଲୋକପ୍ରତିନିଧିଙ୍କ ପାଇଁ ଲୋକଙ୍କୁ ସମସ୍ୟା ହେଉଛି ବୋଲି ଅଭିଯୋଗ ଆଣିଥିଲେ । ସାଧ୍ୱୀଙ୍କ କହିବା ଅନୁଯାୟୀ ସେ ଅଧିକ ଟଙ୍କା ଦେଇ ‘ୱାନ ଏ’ ସିଟ୍ ବୁକ୍ କରିଥିଲେ ।

କିନ୍ତୁ ବିମାନ କର୍ମଚାରୀ ତାଙ୍କୁ ସେଠାରେ ବସିବାକୁ ବାରଣ କରିଥିଲେ । ତେବେ ଏନେଇ ସେ ରୁଲ୍ ବୁକ୍ ମାଗିଥିଲେ ମଧ୍ୟ ତାଙ୍କୁ ତାହା ଦେଖାଯାଇନଥିବା ସାଧ୍ୱୀ ଅଭିଯୋଗ ଆଣିଛନ୍ତି । ସାଧ୍ୱୀ ପ୍ରଜ୍ଞାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷରେ ଏହି ବିବାଦକୁ ନେଇ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ବିମାନବନ୍ଦର ନିର୍ଦ୍ଦେଶକଙ୍କ ନିକଟରେ ସ୍ପାଇସଜେଟ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର