ମନ୍ଦିର ପରିଚାଳକଙ୍କ ଅନିଷ୍ଟ ଲାଗି ପୂଜକ କରୁଥିଲେ ତନ୍ତ୍ରପୂଜା, ଧରାପଡ଼ି ବିଦା ହେଲେ

ବିଜଓ୍ଵାଡା: ଆନ୍ଧ୍ରପ୍ରଦେଶର ନାଲାମାଲ ଜଙ୍ଗଲ ଭିତରେ ଶ୍ରୀଶୈଲମ୍‌ସ୍ଥିତ ଶ୍ରୀବ୍ରମାରମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରରେ ଜଣେ ପୂଜକଙ୍କର ଅଦ୍ଭୁତ କାଣ୍ଡ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର କୁନ୍ନୁଲ୍‌ ଜିଲ୍ଲାରେ ଅବସ୍ଥିତ ଏହି ପ୍ରସିଦ୍ଧ ଶୈବପୀଠରେ ପୂଜକ ଭାବେ ନିଯୁକ୍ତ ଥିବା ଗାନ୍ତି ରାଧାକୃଷ୍ଣଙ୍କର ମନ୍ଦିର ପରିଚାଳନା ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା।
ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ପୂଜକ ରାଧାକୃଷ୍ଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରାମଚନ୍ଦ୍ର ମୂର୍ତ୍ତିଙ୍କର ଅନିଷ୍ଟ କରିବା ଉଦ୍ଦେଶ୍ୟରେ ଓ  ତାଙ୍କୁ  ପଦରୁ ହଟାଇବା  ଲାଗି  ନିଜ  ଘରେ ତନ୍ତ୍ରମନ୍ତ୍ର ଆରମ୍ଭ କରିଥିଲେ। ସେ ଦିନରାତି ତନ୍ତ୍ରମନ୍ତ୍ର ଚଳାଇଥିଲେ।  ତେବେ ଏହି ସୂଚନା କୌଣସି କ୍ରମେ ମନ୍ଦିର ପରିଚାଳନା ଟ୍ରଷ୍ଟ ନିକଟରେ ପହଞ୍ଚଥିଲା। ଫଳରେ ଟ୍ରଷ୍ଟ କର୍ତ୍ତୃପକ୍ଷ ପୂଜକ ରାଧାକୃଷ୍ଣଙ୍କ ଘରେ ପହଞ୍ଚି ସେ ତନ୍ତ୍ରପୂଜା କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ପୂଜକ ପଦରୁ ନିଲମ୍ବିତ କରାଯାଇଛି।
ଦକ୍ଷିଣ ଭାରତର ମନ୍ଦିରଗୁଡ଼ିକରେ ତନ୍ତ୍ରମନ୍ତ୍ର ମାଧ୍ୟମରେ ମନସ୍କାମନା ପୂରଣ ଓ ଅନ୍ୟର ଅନିଷ୍ଟ କରାଇବା ଘଟଣା ବଢ଼ିବାରେ ଲାଗିଛି।  ସିମାଞ୍ଚଳମ୍‌ ସ୍ଥିତ ବରାହଲକ୍ଷ୍ମୀ ନରସିଂହସ୍ୱାମୀ ମନ୍ଦିରରେ ମଧ୍ୟ କିଛି ଦିନ ତଳେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ସେହିପରି ଆନ୍ଧ୍ରର ପ୍ରସିଦ୍ଧ  କନକ ଦୁର୍ଗା ମନ୍ଦିରରେ ମଧ୍ୟ ତନ୍ତ୍ରପୂଜା ହେବା ଘଟଣା ଶ୍ରଦ୍ଧାଳୁଙ୍କୁ ବିସ୍ମିତ କରିଥିଲା।
ସମ୍ବନ୍ଧିତ ଖବର