୧୦ ବର୍ଷ ପରେ କାବୁଲ ପହଞ୍ଚିଲେ ତାଲିବାନର ଶୀର୍ଷ ନେତା

କାବୁଲ: ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଦଖଲ କରିନେବା ପରେ ଏବେ ତାଲିବାନର ଶୀର୍ଷ ନେତାମାନେ କାବୁଲ ପହଞ୍ଚିବାରେ ଲାଗିଛନ୍ତି। ପ୍ରାୟ ୧୦ ବର୍ଷ ଧରି ଦେଶ ବାହାରେ ଥିବା ତାଲିବାନର ଶୀର୍ଷ ନେତା ଅବ୍‌ଦୁଲ ଗାନି ବରାଦର ଏବଂ ଅନ୍ୟ ୮ ଜଣ ନେତା ଆଜି କାବୁଲରେ ପହଞ୍ଚିଛନ୍ତି ଏବଂ ଶାସନ ପରିଚାଳନା ଭାର ଗ୍ରହଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ବରାଦର ତାଲିବାନର ପ୍ରତିଷ୍ଠାତା ସଦସ୍ୟ ଥିବା ବେଳେ ପୂର୍ବ ତାଲିବାନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିଥିଲେ। ତାଲିବାନ ଏବେ ତାଙ୍କୁ ରାଷ୍ଟ୍ରପତି କରିବା ପାଇଁ ଯୋଜନା କରୁଛି। ତାଲିବାନ ମୁଖପାତ୍ର ଜବହୁଲ୍ଲା ମୁଜାହିଦ୍‌ କହିଛନ୍ତି ଆଗାମୀ ଦିନରେ ତାଲିବାନର ସମସ୍ତ ନେତାଙ୍କୁ ବିଶ୍ବ ଦେଖିବ ଏବଂ ନୂଆ ଶାସନ ବ୍ୟବସ୍ଥାରେ ଆଫଗାନବାସୀଙ୍କ ସ୍ବାଧୀନତା ସଂକ୍ରାନ୍ତ ନୂଆ ନିୟମ ଲାଗୁ ହେବ। ତାଲିବାନ ଗଠନ ହେବା ପରଠାରୁ ବିଗତ ୩ ଦଶନ୍ଧି ମଧ୍ୟରେ ଏହା ରୁଷ୍‌, ଆମେରିକା ଏବଂ ଗଣତାନ୍ତ୍ରିକ ସରକାର ବିରୋଧରେ ଲଢ଼େଇ କରି ଆସିଛି। ଆମେରିକା ଅଚାନକ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ତାଲିବାନ ସମସ୍ତଙ୍କୁ ଚମକାଇ ମାତ୍ର ୪ ସପ୍ତାହ ଭିତରେ ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଛି। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଳିବାନ ଆଫଗାନିସ୍ତାନରେ ଶାସନ କରୁଥିଲା।

ସମ୍ବନ୍ଧିତ ଖବର