ମହିଳାଙ୍କ କେଶ କାଟିବା ସନ୍ଦେହରେ ଯବାନଙ୍କୁ ଆକ୍ରମଣ କଲେ ସ୍ଥାନୀୟ ଲୋକେ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍‌ଓ୍ଵାରା ସହରରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ମହିଳାଙ୍କ କେଶ କାଟିବା ଘଟଣାରେ ସଂପୃକ୍ତି ସନ୍ଦେହରେ ଲୋକେ ଜଣେ ଯବାନଙ୍କୁ ଆକ୍ରମଣ କରିବା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖା ଦେଇଛି।

ଘଟଣାରୁ ପ୍ରକାଶ,ଜମ୍ମୁ-କଶ୍ମୀରରେ ମହିଳାଙ୍କ କେଶ କଟାଯିବା ଘଟଣା ବୃଦ୍ଧି ପାଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ବିଫଳ ହୋଇଛି। କୁପ୍‌ଓ୍ଵାରା ସହରରେ ଅବସ୍ଥାପିତ ଜନୈକ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ କେଶ କଟାଯିବା ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରି ସ୍ଥାନୀୟ କିଛି ଯୁବକ ଜଣେ ଯବାନଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ଏହାପରେ ଘଟଣାସ୍ଥଳରେ ସେନାର ଯବାନ ପହଞ୍ଚି ଯୁବକମାନଙ୍କୁ ଏଥିରୁ ନିବୃତ କରାଇଥିଲେ। ତେବେ, ଆକ୍ରମଣର ଶିକାର ହୋଇଥିବା ଯବାନ ଗୁରୁତର ହୋଇନାହାନ୍ତି। ଏ ନେଇ ସବିଶେଷ ବିବରଣୀ ଏହି ରିପୋର୍ଟ ଲେଖା ହେବା ବେଳକୁ ପ୍ରାପ୍ତ ହୋଇ ନାହିଁ।

ଏହି ମାସ ଆରମ୍ଭରେ କେଶ କଟା ଘଟଣାକୁ ରୋକିବା ଲାଗି ଜମ୍ମୁ-କଶ୍ମୀର ପୁଲିସ୍‌ ଏକ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଗଠନ କରିଥିଲା। ଏଥିସହ ଏଭଳି ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଲେ ୬ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। କେବଳ ସେତିକି ନୁହେଁ, ରାଜ୍ୟର ସବୁ ଜିଲ୍ଲାର ଡାକ୍ତର, ପୁଲିସ୍‌  ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବିଶେଷଜ୍ଞ ଦଳ ଗଠନ କରାଯାଇଛି।

ଗତ କିଛି ଦିନ ମଧ୍ୟରେ କାଶ୍ମୀର ଉପତ୍ୟାକାରେ ୪୦ ଜଣ ମହିଳାଙ୍କ କେଶ କଟାଯିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନବହୁଳ ଇଲାକାରେ ଏଭଳି ଘଟଣା ଘଟିଛି। ମୁଖ୍ୟତଃ ଯୁବତୀ ଓ ମଧ୍ୟବୟସ୍କା ମହିଳାଙ୍କର କେଶ କାଟି ଦିଆଯାଉଛି।

ସମ୍ବନ୍ଧିତ ଖବର