ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି: ଅଙ୍ଗନବାଡ଼ି ଦିଦି ଏଣିକି ପାଇବେ ୬୦୦୦

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ୩୬ ଦିନ ଧାରଣାରେ ବସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅଙ୍ଗନବାଡ଼ି ଦିଦିମାନଙ୍କର ଦରମା ବଢ଼ିବ ବୋଲି ଘୋଷଣା କରିଛନ୍ତି। ନବୀନ ଦୀପାବଳି ଉପହାର ଦେବାକୁ ଯାଇ ଅଙ୍ଗନବାଡ଼ି କର୍ମୀମାନଙ୍କର ମାସିକ ଦରମା ୪୦୦୦ ଟଙ୍କାରୁ ୬୦୦୦ ଟଙ୍କା ବଢ଼ାଇଛନ୍ତି। ମିନି ଅଙ୍ଗନବାଡ଼ି କର୍ମୀମାନେ ୩୫୦୦ ଟଙ୍କା ବଦଳରେ ୪୧୨୫ଟଙ୍କା ପାଇବେ। ସେହିଭଳି ସହାୟିକାମାନଙ୍କୁ ୨୦୦୦ଟଙ୍କା ସ୍ଥାନରେ ୩୦୦୦ ଟଙ୍କା ଦରମା ମିଳିବ।

ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ଓ ଜୀବନ ବୀମାଭୁକ୍ତ କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି। ବୀମା ଅର୍ଥ ରାଶି ରାଜ୍ୟ ସରକାର ବହନ କରିବେ।

ସୂଚନାଯୋଗ୍ୟ, ଗୋଟିଏ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖସ୍ଥିତ ଲୋୟର ପିଏମଜିରେ ଧାରଣା ଦେବା ପରେ ନବୀନ ଗୁହାରୀ ଶୁଣିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଲକ୍ଷାଧିକ ଅଙ୍ଗନବାଡ଼ି କର୍ମୀମାନେ ଦିନରେ ଧାରଣା ଦେଉଥିବା ବେଳେ ରାତିରେ ଲୋୟର ପିଏମଜି ରାସ୍ତାରେ ଶୋଉଥିଲେ। ଅଙ୍ଗନବାଡ଼ି ସଙ୍ଘ ନେତ୍ରୀ ଓ ପ୍ରାୟ ୨୦୦ କର୍ମୀ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ସଚିବାଳୟରେ ନବୀନଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଅଙ୍ଗନଓ୍ଵାଡି କର୍ମୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦାବି ସମ୍ପର୍କରେ ଖୁବଶୀଘ୍ର ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।

ସମ୍ବନ୍ଧିତ ଖବର