ପ୍ରବାସୀ ଶ୍ରମିକଙ୍କ ପାଇଁ ତନାଘନା: କେନ୍ଦ୍ର, ରାଜ୍ୟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ପରିଚାଳନାରେ ଅସନ୍ତୋଷ ପ୍ରକାଶ କଲେ, ୨ ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ
ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ପ୍ରବାସୀ ଶ୍ରମିକମାନେ ଯେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ। କହିଛନ୍ତି ଯେ ପରିସ୍ଥିିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇ ନାହାନ୍ତି। ଏହି ମାମଲାରେ ସରକାରମାନଙ୍କଠାରୁ ଦୁଇ ଦିନ ଭିତରେ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ କୁ ତାରିଖ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଅଶୋକ ଭୂଷଣ, ସଂଜୟ କିସାନ କୌଲ ଓ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏହା ଯଥେଷ୍ଟ ନଥିଲା। ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇ ଆସୁଛି। ଦୀର୍ଘ ବାଟ ପାଦରେ ଚାଲିଚାଲି ଓ ସାଇକଲରେ ଯାଉଥିବା ଭଳି ଖବର ନିୟମିତଭାବେ ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏହା ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ସୂଚାଉଥିବାରୁ ଆମେ ନିଜ ଆଡ଼ୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛୁ ବୋଲି ଖଣ୍ଡପୀଠ କହିଛନ୍ତି। ସଂକଟ ବେଳେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ଦେବାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଚିତ ପଦକ୍ଷେପ ନେଇ ପାରିନ୍ତାହାନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ପ୍ରବାସୀ ଶ୍ରମିକମାନେ ଯେଉଁଠି ଅଟକି ରହିଛନ୍ତି କିମ୍ବା ଘରକୁ ଚାଲିଚାଲି, ସାଇକଲ କିମ୍ବା ଅନ୍ୟ ମାଧ୍ୟମରେ ଯିବା ସମୟରେ ରାସ୍ତାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉନାହିଁ। ସେମାନଙ୍କୁ ସରକାର ମାଗଣାରେ ଖାଇବା, ରହିବା ଓ ଯାତ୍ରା ସୁବିଧା ଯୋଗାଇବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରବାସୀଙ୍କୁ ମାଗଣା ଖାଇବା, ରହିବା ଓ ଯାତ୍ରା ସୁବିଧା ଯୋଗାଇବାକୁ କହିଲେ
ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ମାର୍ଚ୍ଚ ୨୫ ତାରିଖରୁ ଦେଶରେ ଲକ୍ଡାଉନ୍ କାର୍ଯ୍ୟକାରୀ ହେଉଛି। ଏହି ସମୟରେ ଦେଶରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବା ସହିତ ବସ, ଟ୍ରେନ୍ ଓ ବିମାନ ଆଦି ସେବା ଦୀର୍ଘଦିନ ଧରି ବନ୍ଦ ରହିବା ଫଳରେ ପ୍ରବାସୀ ଶ୍ରମିକମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି। କଳ କାରଖାନା ଓ ନିର୍ମାଣ କାର୍ଯ୍ୟ ବନ୍ଦ ହେବା କାରଣରୁ ସେମାନଙ୍କ ଜୀବିକା ଚାଲିଯାଇଛି। ଏଥିସହିତ ରାସ୍ତାରେ ଚାଲିଚାଲି ଦୀର୍ଘ ପଥ ଚାଲିଚାଲି, ସାଇକଲ କିମ୍ବା ମାଲବୁହା ଗାଡ଼ି କିମ୍ବା ରେଳ ଧାରଣାରେ ଚାଲିଚାଲି ଘରକୁ ଫେରୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିପାଇଁ ପ୍ରତିଦିନ ଦୁର୍ଘଟଣାମାନ ଘଟି ମଧ୍ୟ ସେମାନଙ୍କ ଧନଜୀବନ ହାନି ହେଉଛି। କିଛିଦିନ ତଳେ ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ରେଳ ଧାରଣାରେ ପ୍ରବାସୀ ଶ୍ରମିକ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରେନ ଚଢ଼ିଯିବାରୁ ୧୬ ଜଣଙ୍କର ଜୀବନ ଚାଲିଯାଇଥିଲା। ପ୍ରବାସୀ ଶ୍ରମିକଙ୍କ ପାଇଁ ଶେଷରେ ସ୍ବତନ୍ତ୍ର ଟ୍ରେନ୍ ଚାଲିଥିଲେ ମଧ୍ୟ ସେମାନଙ୍କ ଦୁଃଖର ଅନ୍ତ ଏପର୍ଯ୍ୟନ୍ତ ଘଟିନାହିଁ। ଶେଷରେ ପ୍ରବାସୀ ଶ୍ରମିକଙ୍କ ଏହି ଦୁଃଖକୁ ସୁପ୍ରିମ୍ କୋର୍ଟ ହୃଦୟଙ୍ଗମ କରିଛନ୍ତି।