ବଢ଼ିଲା ଥରୁର୍‌ଙ୍କ ସଙ୍କଟ, ହତ୍ୟା ମକଦ୍ଦମା ପାଇଁ ଦିଲ୍ଲୀ ପୁଲିସର ଆବେଦନ

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର କଂଗ୍ରେସ ‌ଏମ୍‌ପି ଶଶୀ ଥରୁରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ପୁଲିସ ଆବେଦନ କରିଛି।

ସୁନନ୍ଦାଙ୍କ ମୃତ୍ୟୁ ମାମଲାରେ ଆଇପିସିର ଧାରା ୪୯୮-ଏ( ସ୍ବାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ବାରା ମହିଳାଙ୍କ ପ୍ରତି ନିଷ୍ଠୁରତା), ୩୦୬ (ଆତ୍ମହତ୍ୟା ପାଇଁ ଉସକାଇବା) ବା ବିକଳ୍ପ ଭାବେ ୩୦୨ (ହତ୍ୟା) ଧାରା ଲଗାଇବା ପାଇଁ ଦିଲ୍ଲୀ ‌ପୁଲିସ ଏଠାକାର ଅଦାଲତରେ ଆବେଦନ କରିଛି। ଏହି ମାମଲାର ଚାର୍ଜ ଫ୍ରେମ୍‌ ପାଇଁ ଚାଲିଥିବା ଯୁକ୍ତି ସମୟରେ ବରିଷ୍ଠ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କ ନିକଟରେ ଯୁକ୍ତି ବାଢ଼ିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥରୁର୍‌ ଏହି ମାମଲାରେ ଏବେ ଜାମିନରେ ଅଛନ୍ତି। ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୪୯୮-ଏ ଏବଂ ୩୦୬ ଲାଗୁ କରିଛି। ଥରୁର ଦମ୍ପତିଙ୍କ ଘରେ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିବୃତିକୁ ଉପସ୍ଥାପନ କରି ସରକାରୀ ଓକିଲ କହିଥିଲେ, ‘କେଟି’ ନାମକ ଜଣେ ଝିଅ ଏବଂ ‌ବ୍ଲାକବେରି ମେସେଜ୍‌କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ମୃତ୍ୟୁ ପୂର୍ବରୁ ସୁନନ୍ଦା ଆଇପିଏଲ୍ ମାମଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଥିଲେ। ଥରୁର୍‌ଙ୍କୁ ସେ ଛାଡ଼ିବେ ନାହିଁ ବୋଲି କହୁଥିଲେ। ମୃତ୍ୟୁର ବର୍ଷକ ପୂର୍ବରୁ ପତି ପତ୍ନୀଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଥିଲା ବୋଲି ଘରୋଇ ସହାୟକ ଜଣକ ‌ପୁଲିସକୁ କହିଛି। ସୁନନ୍ଦା ନିରାଶ ହୋଇଯାଇଥିଲେ ଏବଂ ବୈବାହିକ ଜୀବନରେ ତାଙ୍କ ପ୍ରତି ବିଶ୍ବାସଘାତ କରାଯାଇଛି ବୋଲି ଅନୁଭବ କରୁଥିଲେ। ସ୍ବାମୀଙ୍କ ସହ ସମ୍ପର୍କ ସ୍ବାଭାବିକ ନଥିବା କାରଣରୁ ସୁନନ୍ଦା ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ। ସ୍ବାମୀଙ୍କ ସହ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସୁନନ୍ଦାଙ୍କ ଶରୀରରେ ଅନେକ ଦାଗ ରହିଥିଲା। ଥରୁର ସୁନନ୍ଦାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ପୁଲିସ ଅଭିଯୋଗ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ବିଷ ପ୍ରୟୋଗ ଯୋଗୁ ସୁନନ୍ଦାଙ୍କ ମୃତ୍ୟୁ ହୋଇଛି ଏବଂ ତାଙ୍କ ଶରୀରର ୧୫ଟି ସ୍ଥାନରେ କ୍ଷତଚିହ୍ନ ରହିଥିବା ଉଲ୍ଲେଖ ରହିଛି।

ସରକାରୀ ଓକିଲ ଏହା ମଧ୍ୟ ଦର୍ଶାଇଥିଲେ, ପାକିସ୍ତାନର ସାମ୍ବାଦିକା ମେହର ତରାରଙ୍କ ସହିତ ଥରୁରଙ୍କର ଥିବା ସମ୍ପର୍କକୁ ନେଇ ସୁନନ୍ଦା ଚିନ୍ତିତ ଥିଲେ। ସୁନନ୍ଦାଙ୍କ ବାନ୍ଧବୀ ତଥା ସାମ୍ବାଦିକା ନଳିନୀ ସିଂହଙ୍କ ମନ୍ତବ୍ୟଙ୍କୁ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି ନଳିନୀ ଏଥିରେ କହିଛନ୍ତି। ତେବେ ଥରୁରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ପହୱା ଏସବୁ ଯୁକ୍ତିକୁ ଖଣ୍ଡନ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୪ ଜାନୁଆରି ୧୭ରେ ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ବିଳାସପୂର୍ଣ୍ଣ ହୋଟେଲ ଲୀଲା ପରିସରରେ ସୁନନ୍ଦାଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର