ପର୍ଶୁରାମ ଦ୍ବିବେଦୀଙ୍କ ଜୟନ୍ତୀ ଉପଲକ୍ଷେ ‘ଅଭିନନ୍ଦନିକା’ ଉନ୍ମୋଚିତ

‘ମୋବାଇଲ୍‌କୁ ଭାଷା ପ୍ରଚାରର ମାଧ୍ୟମ କରାଯାଉ’

ଭୁବନେଶ୍ବର: ଓଡ଼ିଆ ଭାଷା ଏବେ ସଂକଟରେ। ଏକଥା ତ’ ଖାଲି କହିଲେ ହେବ ନାହିଁ, ଭାଷାଟିକୁ କେମିତି ବଞ୍ଚାଇ ରଖିପାରିବା, ସେ ନେଇ ଚିନ୍ତା କରିବାକୁ ପଡ଼ିବ। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରୁଥିବା ଆମ ପିଲାମାନଙ୍କ ପାଖରେ ମୁଦ୍ରିତ ପୁସ୍ତକର ଆଉ ଚାହିଦା ନାହିଁ। ବର୍ତ୍ତମାନର ପିଢ଼ି ଇ-ପେପର୍‌, ଇ-ପୁସ୍ତକ ଓ ଇ-ମାଗାଜିନ୍‌ ଆଦି ପଢ଼ୁଛନ୍ତି। ଏଣୁ ଆଜିର ପିଲାଙ୍କ ଅଙ୍ଗବସ୍ତ୍ର ପାଲଟିଥିବା ମୋବାଇଲ୍‌କୁ ଆମକୁ ବ୍ୟବହାର କରିବାକୁ ପଡ଼ିବ। ଓଡ଼ିଆ ଜାତିର ଭାଷାକୁ ବଞ୍ଚାଇବା ପାଇଁ ଆମ ଓଡ଼ିଆ ଭାଷା ସେମାନଙ୍କ ମୋବାଇଲ୍‌ ସ୍କ୍ରିନ୍‌କୁ ନେବାକୁ ପଡ଼ିବ। ସେମାନେ ଆମ ଭଳି ହେବାକୁ ଆଶା କରିବା ଅପେକ୍ଷା ଆମେ ସେମାନଙ୍କ ଭଳି ହୋଇପାରିଲେ, ଅନ୍ତତଃପକ୍ଷେ ଆମ ଜାତି ଓ ଭାଷାର ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି କହିଛନ୍ତି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଆଜି ଗୋଦାବରୀଶ ସାହିତ୍ୟ ସଂସଦଠାରେ ‘ଗୋଧୂଳି ସାହିତ୍ୟ ସଂସଦ’ ଓ ‘ଉତ୍କଳ ଉନ୍ନୟନ ନ୍ୟାସମଣ୍ଡଳ’ର ମିଳିତ ଆନୁକୂଲ୍ୟରେ ଭାଷାବିତ୍‌ ପର୍ଶୁରାମ ଦ୍ବିବେଦୀଙ୍କ ଜୟନ୍ତୀ ଉପଲକ୍ଷେ ‘ଅଭିନନ୍ଦନିକା- ମୋ ଦୃଷ୍ଟିରେ ପର୍ଶୁରାମ ଦ୍ବିବେଦୀ’ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୋଣାର୍କ ଯେ ଆମେ ଗଢ଼ି ନାହେଁ- ଅଣଓଡ଼ିଆଙ୍କ ମନରେ ସୃଷ୍ଟି ହେଉଥିବା ଏହି ସନ୍ଦେହ, ରତ୍ନଭଣ୍ଡାର ଚାବି ଚୋରିକୁ ନେଇ କାଦୁଅ ଫିଙ୍ଗାଫିଙ୍ଗି, ଶ୍ରୀମନ୍ଦିରକୁ ନେଇ ରାଜନୀତି ଆଦି ଅନେକ ପ୍ରସଙ୍ଗ ଅନ୍ୟମାନଙ୍କ ମଧ୍ୟରେ ଆମ ଜାତି ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଏନେଇ ଯୁକ୍ତି ନ କରି ଆମ ଭିତରେ ରହିଯାଇଥିବା ଖୁଣକୁ ଦୂର ନକଲେ ଏ ଜାତି ପୁଣି ଉଠିପାରିବ ନାହିଁ। ଜୟନ୍ତୀ ଉପଲକ୍ଷେ ଶ୍ରୀ ଦ୍ବିବେଦୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ପଟ୍ଟନାୟକ କହିଲେ, ୮୫ ବର୍ଷ ବୟସରେ ବି ଶ୍ରୀ ଦ୍ବିବେଦୀ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଅହରହ ସଂଗ୍ରାମ କରି ଚାଲିଛନ୍ତି। ବିଶେଷ ଅତିଥି ଭାବେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଯୋଗଦେଇ ନିଜ ଭାଷାକୁ ଉଚ୍ଚ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଅଭିନନ୍ଦନିକାର ସମୀକ୍ଷା କରି ଅଧ୍ୟାପକ ଶରତ ଚନ୍ଦ୍ର ରଥ କହିଲେ, ସମାଜରେ ପୂଜ୍ୟପୂଜାର ଅଧିକାରୀମାନଙ୍କୁ ସମ୍ମାନ ଓ ଆଦର ଜଣାଇବା ଆମର କର୍ତ୍ତବ୍ୟ ଓ ଦାୟିତ୍ବ। କାର୍ଯ୍ୟକ୍ରମରେ ପର୍ଶୁରାମ ଦ୍ବିବେଦୀ ନିଜ ସଂଗ୍ରାମ ଜୀବନର କାହାଣୀ ବର୍ଣ୍ଣନା କରିଥିଲେ। ଗୋଧୂଳି ସାହିତ୍ୟ ସଂସଦର ସଦସ୍ୟ ଅଲେଖ ଚନ୍ଦ୍ର ପଢ଼ିଆ‌ରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଓ ଶିବସୁନ୍ଦର ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ପାଦିକା ବିମଳା ସିଂହ ସ୍ବାଗତ ଭା‌ଷଣ ଦେଇଥିଲେ। ସହସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର