ତେଲ ଦରବୃଦ୍ଧି ବିରୋଧରେ କଂଗ୍ରେସର ୧୫ ଦିନିଆ ଆନ୍ଦୋଳନ

ନୂଆଦିଲ୍ଲୀ: ତେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ୧୫ ଦିନିଆ ଆନ୍ଦୋଳନ କରିବ। ଆସନ୍ତାମାସ ୧୪ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହେବ। କଂଗ୍ରେସର ସାଧାରଣ ସଂପାଦକ କେ ସି ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ ସେ କହିଛନ୍ତି, ଏହି ୧୫ ଦିନିଆ ଆନ୍ଦୋଳନରେ ଗୋଟିଏ ସପ୍ତାହ ପାଇଁ ପଦଯାତ୍ରା ହେବ। ଦେଶବ୍ୟାପୀ କଂଗ୍ରେସ କମିଟି ଗୁଡ଼ିକ ସେମାନଙ୍କ ଅଞ୍ଚଳରେ ପଦଯାତ୍ରା କରିବେ। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନ୍ୟ ନେତାମାନେ ତେଲ ଦରବୃଦ୍ଧି ପାଇଁ ଆଜି ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟ୍ବିଟ୍ କରି ‌‌ପ୍ରିୟଙ୍କା କହିଛନ୍ତି, ମୋଦୀ ସରକାର ଜନସାଧାରଣଙ୍କୁ ଅସୁବିଧାରେ ପକାଇବାରେ ବଡ଼ ରେକର୍ଡ କରିଛନ୍ତି।

ମୋଦୀ ସରକାରଙ୍କ ଅମଳରେ ବେକାରୀ ସର୍ବାଧିକ ରହିଛି, ସରକାରୀ ସଂପତ୍ତି ବିକ୍ରି କରାଯାଉଛି, ପେଟ୍ରୋଲ ଦର ବର୍ଷକରେ ସର୍ବାଧିକ ବଢ଼ିଛି ବୋଲି ସେ କହିଛନ୍ତି। ପି ଚିଦମ୍ବରମ୍ କହିଛନ୍ତି, ରିଜର୍ଭ ବ୍ୟାଙ୍କର ପରାମର୍ଶକୁ ଭିତ୍ତିକରି ତେଲ ଉପରୁ ଟିକସ ହ୍ରାସ କରାଯାଉ। କେବଳ ସରକାରଙ୍କ ଲୋଭ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଏଥିପାଇଁ ତେଲ ଦର କମିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ବାରବାର କହୁଛି। ଆଜି ଲଗାତାର ପଞ୍ଚମ ଦିନ ପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର