ତାମିଲ ପୁଲିସର ନୃଶଂସତା, ବାପ-ପୁଅ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ

ମାଡ଼ ଖାଇ ଚିକିତ୍ସାଧୀନ ଥିବା ଅଟୋ ଚାଳକର ମୃତ୍ୟୁ

ଚେନ୍ନାଇ: ଗତ ୨୬ ତାରିଖରେ ତାମିଲନାଡୁର ଥୁଠୁକୁଡି ଜିଲ୍ଲା଼ରେ କୋଭିଡ୍ କର୍ଫ୍ୟୁ ବେଳେ ଦୋକାନ ଖୋଲିଥିବା ଅଭିଯୋଗରେ ବାପ–ପୁଅଙ୍କର ପୁଲିସ ମାଡ଼ରେ ମୃତ୍ୟୁ ହେବା ଘଟଣା ମନରୁ ନଲିଭୁଣୁ ତାମିଲ ପୁଲିସ ନୃଶଂସତାର ଆଉ ଏକ ଉଦାହରଣ ସାମନାକୁ ଆସିଛି। ପନ୍ଦର ଦିନ ତଳେ ଏକ ଜମିଜମା ବିବାଦର ସମାଧାନ ପାଇଁ ତିରୁନେଲଭେଲି ଜିଲ୍ଲା ଅନ୍ତର୍ଗତ ସୁରଣ୍ତାଇ ଥାନାକୁ ଯାଇଥିବା ଏନ୍ କୁମାରସେନ ନାମକ ଅଟୋଚାଳକଙ୍କୁ ପୁଲିସ ନିର୍ଘାତ ପିଟିଥିଲା। ଏଥିରେ ସେ ଭୀଷଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛିା କୁମାରସେନଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ସେହି ଜମିଜମା ମାମଲାରେ ସେ ଥାନାକୁ ଯାଇ ଦିନକ ପରେ ସେଠାରୁ ଘରକୁ ଫେରିଥିଲେ। ତେବେ ଘରେ ସେ ବେଶୀ କିଛି କଥାବାର୍ତ୍ତା କରିପାରୁନଥିଲେ। ପରେ ତାଙ୍କର ଭୀଷଣ ବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ସୁରଣ୍ତାଇ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତିରୁନେଲଭେଲି ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ବୃକକ୍ ଓ ପ୍ଲିହା ନଷ୍ଟ ହୋଇଥିବା ଜଣାପଡି଼ଥିଲା। ପଚରାଉଚରାରୁ ସେ ଥାନାରେ ଦିଆଯାଇଥିବା ନିର୍ଦ୍ଦୟ ପୁଲିସ ନିର୍ଯାତନା ସମ୍ପର୍କରେ ବଖାଣିଥିଲେ। ତେବେ ଶେଷରେ ଶନିବାର ରାତିରେ ସେ ଆଖି ବୁଜିଥିଲେ।

ଚେନ୍ନାଇ: ତାମିଲନାଡୁର ଥୁଠୁକୁଡି ଜିଲ୍ଲା଼ ଅନ୍ତର୍ଗତ ବନ୍ଦର ସହର ଟୁଟିକୋରିନ୍ ଠାରୁ ୫୦ କିମି ଦୂର ସାନ୍ତାକୂଲମ୍ ଠାରେ ପୁଲିସ ମାଡ଼ରେ ବାପ–ପୁଅଙ୍କର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ ରବିବାର ଘୋଷଣା କରିଛନ୍ତି। ଏଭଳି ଅଘଟଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିବା ସହ ପ୍ରକୃତ ନ୍ୟାୟ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଅନୁମତି କ୍ରମେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଗତ ୧୯ ତାରିଖରେ ଥୁଠୁକୁଡି ଜିଲ୍ଲା଼ରେ କୋଭିଡ୍ କର୍ଫ୍ୟୁ ଜାରି ରହିଥିବା ବେଳେ ଜେ ଜୟରାଜ(୫୯) ଓ ତାଙ୍କ ପୁଅ ବେନିକ୍ସ ଇମାନୁଏଲ(୩୧) ନିଜର ଦୋକାନ ଖୋଲିଥିଲେ। ତେବେ କର୍ଫ୍ୟୁ ବେଳେ ସେମାନଙ୍କ ଏହି ବେଆଇନ କାର୍ଯ୍ୟର ବିରୋଧ କରୁଥିବା ସ୍ଥାନୀୟ ପୁଲିସ ବାପ–ପୁଅଙ୍କୁ ଧରି ନିର୍ଧୂମ୍ ପିଟିଥିଲା। ଆହତ ପୁଅ ବେନିକ୍ସଙ୍କର ୨୨ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ୨୩ ତାରିଖରେ ଜୟରାଜ ଆଖି ବୁଜିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ଗୁହ୍ୟଦ୍ବାରରେ ପୁଲିସ ଲାଠି ପଶିଥିବା ଭଳି ନିଷ୍ଠୁର ବର୍ବର ନିର୍ଯାତନା ଲୋକଲୋଚନକୁ ଆସିବା ପରେ ରାଜ୍ୟ ସାରା ଆଲୋଡ଼ନ ସୃଷ୍ଟି ହେବା ସହ ପୁଲିସ ନୃଶଂସତା ବିରୋଧରେ ଜନମତ ତେଜିବା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର