ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ମକା ମଞ୍ଜିର ଚାହିଦା ବଢ଼ୁଛି

କୋରାପୁଟ ଓ ନବରଙ୍ଗପୁରରୁ ୨.୫ ଲକ୍ଷ କୁଇଣ୍ଟାଲ ରପ୍ତାନୀ ଯୋଜନା

ଜୟପୁର: ଓଡ଼ିଶାର ମକା ଏବେ ବିଦେଶୀଙ୍କ ପାଟିରେ ଲାଗିଛି। ଏଠାରୁ ଉତ୍ପାଦିତ ମିଠା ମକାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ବିଦେଶୀମାନେ ଏହି ମକା ଉପରେ ଗୁରୁତ୍ବ ଦେଉଛନ୍ତି। ଏଠାରୁ ଚଳିତବର୍ଷ ମକା ଯିବା ଆରମ୍ଭ ହୋଇଯାଇଛି। ସାଢ଼େ ୨ ଲକ୍ଷ କୁଇଣ୍ଟାଲ ମକା ବିଦେଶକୁ ରପ୍ତାନୀ କରାଯିବା ଯୋଜନା ରହିଛି। ଫଳରେ ଏଠାକାର ଚାଷୀଙ୍କ ଆଥିର୍କ ଅବସ୍ଥା ସ୍ବଚ୍ଛଳ ହେଉଥିବା ସୂଚନା ମିଳିଛି।

ଓଡ଼ିଶାର ମାଟି ମକା ଚାଷ ପାଇଁ ଉତ୍କୃଷ୍ଟ। ସାରା ରାଜ୍ୟରେ ମକା ଚାଷ ହେଉଥିବାବେଳେ ବିଶେଷ କରି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ମକା ଚାଷ ପାଇଁ ସ୍ବତନ୍ତ୍ରତା ହାସଲ କରିଛି। ଏହି ଦୁଇ ଜିଲ୍ଲାର ଶୀତଳ ଜଳବାୟୁ ମକା ଚାଷ ପାଇଁ ଉପଯୁକ୍ତ ଥିବାରୁ ଏଠାରେ ପ୍ରଚୁର ମକା ଉତ୍ପାଦନ ହୁଏ। ମକା ଚାଷରୁ ଅଧିକ ଲାଭ ମିଳୁଥିବାରୁ ଚାଷୀମାନେ ସବୁ ଚାଷ ଅପେକ୍ଷା ଏହି ଚାଷ ଉପରେ ଗୁରୁତ୍ବ ଦେଉଛନ୍ତି। ଏଠାକାର ମକାର ସ୍ବାଦ ବି ନିଆରା। ପୂର୍ବରୁ ଏଠାରୁ ଉତ୍ପାଦିତ ମକାକୁ କମ ଦରରେ ଆନ୍ଧ୍ର ବେପାରୀମାନେ ନେଇ ଯାଉଥିଲେ। ବଜାର ଦର ନଥିବାରୁ ଚାଷୀଙ୍କୁ କମ ଲାଭ ମିଳୁଥିଲା। ହେଲେ ଏବେ ଆଉ ତାହା ନାହିଁ। ଏଠାକାର ମକା ଏବେ ଅନ୍ତର୍ଜାତୀୟ ବଜାରରେ ନାଁ କରିଛି। ଭିଏତନାମ ଓ ବାଂଲାଦେଶକୁ ଏଠାକାର ମକା ଯିବା ଆରମ୍ଭ ହୋଇଛି।

ଏଠାକାର କେତେକ ବ୍ୟବସାୟୀ ବିଦେଶକୁ ମକା ପଠାଉଥିବାରୁ ଅଧିକ ଚାଷୀଏହି ଚାଷ କରିବାକୁ ଆଗ୍ରହୀ ହୋଇପଡିଛନ୍ତି। ପ୍ରଶାସନ ମଧ୍ୟ ଚାଷୀମାନଙ୍କୁ ଏହି ଚାଷ କରିବାକୁ ଉତ୍ସାହିତ କରୁଛି। ଏଠାକାର କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ସହଯୋଗ ମିଳୁଥିବାରୁ ଚାଷୀମାନେ ଏହି ଚାଷ ଉପରେ ମନ ଦେଉଛନ୍ତି। ଜୟପୁର ରେଳଷ୍ଟେସନରେ ଥିବା ୱେଗନ୍ ସାଇଟରୁ ବିଶାଖାପାଟଣା ପର୍ଯ୍ୟନ୍ତ ସ୍ବତନ୍ତ୍ର ଗୁଡସ୍ ଟ୍ରେନରେ ମକାମଂଜି ପଠାଯାଉଛି। ଗୋଟିଏ ରେକରେ ୧୩୦୦କୁଇଣ୍ଟାଲ ମକାମଂଜି ଯାଉଛି। ‌ବର୍ତ୍ତମାନ ପର୍ଯ୍ୟନ୍ତ ୯ହଜାର ୧୦୦କୁଇଣ୍ଟାଲ ମଂଜି ଗଲାଣି।

ଆଗାମୀ ଦିନରେ ଆଉ ସାଢ଼େ ୨ଲକ୍ଷ କୁଇଣ୍ଟାଲ ମଂଜି ପଠାଯିବା ପାଇଁ ବ୍ୟବସାୟୀମାନେ ଯୋଜନା କରିଛନ୍ତି। ମକା ଚାଷୀଙ୍କଠାରୁ ୧୦୦କିଲୋକୁ ୧୭୬୦ଟଙ୍କାରେ କିଣାଯାଉଥିବା ବ୍ୟବସାୟୀ ମାନେ କହିଛନ୍ତି। ତେବେ ଗତ ୨ଟି ଲଘୁଚାପ ବର୍ଷା ଯୋଗୁଁ ମକା ମଂଜି ଓଦା ହେବା ଫଳରେ ଅନ୍ୟ କିଛି ଦେଶ ଏହି ମଂଜି ନେବାକୁ ରାଜି ନଥିବା ବ୍ୟବସାୟୀମାନେ କହିଛନ୍ତି। ସଂପ୍ରତି ଉଭୟ ଜିଲ୍ଲାରୁ ମକା ମଂଜି ଟ୍ରକ ଗୁଡିକ ଉମୁରୀ ଷ୍ଟେସନର ରେକ୍ ପଏଣ୍ଟକୁ  ପହଚିଂବା ପରେ ଏଠାରୁ ବାହାରକୁ ପଠାଯାଉଛି।

ସମ୍ବନ୍ଧିତ ଖବର