ଏଲ୍‌ଜେପି ଦଳର ଚିହ୍ନକୁ ଅଚଳ କରିଦେଲେ ଇସି

ନୂଆଦିଲ୍ଲୀ : ଚିରାଗ ପାଶ୍ବାନ ଏବଂ ତାଙ୍କ କାକା ପଶୁପତି କୁମାର ପାରସ୍‌ଙ୍କ ମେଣ୍ଟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ନିର୍ବାଚନ କମିସନ୍‌ ଆଜି ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ର ଚିହ୍ନକୁ ଅଚଳ କରିଦେଇଛନ୍ତି। କମିସନ୍‌ କହିଛନ୍ତି, ଏକ୍‌ଜେପିର ନେତୃତ୍ବ ନେଇଥିବା ପଶୁପତି କୁମାର ପାରସ ଏବଂ ଲୋକସଭା ସାଂସଦ ଚିରାଗ ପାଶ୍ବାନ୍‌ କେହି ବି ଦଳର ନାମ ଏବଂ ଏହାର ଚିହ୍ନକୁ ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ବ୍ୟବହାର କରିପାରିବେ ନାହିଁ। ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦର କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଉଭୟ ମେଣ୍ଟ ଏଲ୍‌ଜେପିର ଦଳୀୟ ଚିହ୍ନ ‘ବଙ୍ଗଳା’ ବ୍ୟବହାର କରିପାରିବେନି।

ନିର୍ବାଚନ କମିସନ୍‌ କହିଛନ୍ତି, ଆଗକୁ ବିହାରର କୁଶେଶ୍ବର ଆସ୍ଥାନ ଏବଂ ତାରାପୁରରେ ଉପନିର୍ବାଚନ ଅଛି। ଉଭୟ ଚିରାଗ ଏବଂ ପଶୁପତି ପାରସ୍‌ଙ୍କ ଗୋଷ୍ଠୀ ନିସର୍ତ୍ତ ଭ‌ାବେ ଦଳର ନାମକୁ ବ୍ୟବହାର କରିପାରିବେ ନାହିଁ। ନିର୍ବାଚନ କମିସନ୍‌ ଉଭୟ ଗୋଷ୍ଠୀଙ୍କୁ ୩ଟି ଫ୍ରି ସିମ୍ବଲ୍‌ ବାଛିବାପାଇଁ କହିଛନ୍ତି। ଏଥିମଧ୍ୟରୁ କମିସନ୍‌ ସେମାନଙ୍କୁ କୌଣସି ଗୋଟିଏ ଦେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଚିରାଗ ପାଶ୍ବାନ ଏବଂ ପଶୁପତି ପାରସ୍‌ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ୍‌ ପ୍ରିନ୍ସ ରାଜ , ଚନ୍ଦନ ସିଂହ, ବୀଣା ଦେବୀ ଏବଂ ମେହବୁବା ଅଲି କୈସରଙ୍କ ସହଯୋଗରେ ଚିରାଗ ପାଶ୍ବାନ୍‌ଙ୍କୁ ଦଳର ପଦବିରୁ ହଟାଇ ଦେଇଥିଲେ। ପରେ ପଶୁପତି କୁମାର ପାରସ୍‌ଙ୍କୁ ଦଳର ନେତା ବଛାଯାଇଥିଲା।

ସମ୍ବନ୍ଧିତ ଖବର