ବେଳାଭୂମି ପବନରୁ ୩୦ ହଜାର ମେଗାୱାଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ

ଭାରତରେ ନିବେଶ ପାଇଁ ଡେନମାର୍କର ଉଦ୍ୟୋଗୀଙ୍କୁ ମୋଦୀଙ୍କ ଆହ୍ବାନ, ଏପ୍ରିଲରେ ରେକର୍ଡ ରପ୍ତାନି

ନୂଆଦିଲ୍ଲୀ: ଦେଶର ବେଳାଭୂମିରେ ‌ପବନର ବେଗ ସାଧାରଣତଃ ଅଧିକ ରହିଥାଏ। ତେଣୁ ବେଳାଭୂମି ଅଞ୍ଚଳରୁ ୩୦ ହଜାର ମେଗାୱାଟ୍‌ର ବିଜୁଳି ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଦେଶରେ ୫୦ ହଜାର ମେଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ତେଣୁ ଏ କ୍ଷେତ୍ରରେ ବ୍ୟାପକ ନିବେଶ ସୁଯୋଗ ରହିଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌କେ ସିଂହ କହିଛନ୍ତି। ଏ କ୍ଷେତ୍ରରେ ନିବେଶ ପାଇଁ ସେ ଜର୍ମାନୀର ଉଦ୍ୟୋଗୀମାନଙ୍କୁ ଆହ୍ବାନ କରିଛନ୍ତି। ଭର୍ଚୁଆଲ ମୋଡ୍‌ରେ ଜର୍ମାନୀର ଶକ୍ତି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସହିତ ଏକ ଆଲୋଚନା ବେଳେ ଶକ୍ତିମନ୍ତ୍ରୀ ଏହା କହିଛନ୍ତି। ‌ବୈଠକରେ କେନ୍ଦ୍ର ଶକ୍ତି ସଚିବ ଆଲୋକ କୁମାର, ଅକ୍ଷୟ ଶକ୍ତି ବିଭାଗର ଯୁଗ୍ମ ସଚିବ ଡ ବନ୍ଦନା କୁମାରଙ୍କ ସମେତ ଭାରତ ଏବଂ ଜର୍ମାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ/କୋପେନହେଗେନ: ଭାରତରେ ସବୁଜ ପ୍ରଯୁକ୍ତି ଠାରୁ ଆରମ୍ଭ କରି ଶୀତଳ ଭଣ୍ଡା, ବର୍ଜ୍ୟବସ୍ତୁରୁ ବିଭିନ୍ନ ସାମଗ୍ରୀ ନିର୍ମାଣ, ଜାହାଜ ଚଳାଚଳ ଏବଂ ବନ୍ଦର ଆଦି କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ ‌ରହିଛି। ଭାରତରେ ବ୍ୟବସାୟୀଙ୍କ ପାଇଁ ଅନୁକୂଳ ପରିବେଶ ମଧ୍ୟ ରହିଛି। ତେଣୁ ଡେନମାର୍କର ଉଦ୍ୟୋଗୀମାନେ ଭାରତରେ ଏସବୁ କ୍ଷେତ୍ରରେ ନିବେଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଆହ୍ବାନ କରିଛନ୍ତି। ତିନିଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କ ଶିଳ୍ପ ମହାସଂଘ ପକ୍ଷରୁ ଆୟୋଜିତ ଭାରତ-ଡେନମାର୍କ ବିଜ୍‌ନେସ୍‌ ଫୋରମ ବୈଠକରେ ଯୋଗଦେଇଥିଲେ। ଏଥିରେ ତାଙ୍କର ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡରିକସେନ୍ ଏବଂ ଯୁବରାଜ ଫେଡେରିକ୍ ମଧ୍ୟ ଯୋଗଦେଇଥିଲେ।

ଉକ୍ତ ବୈଠକରେ ଭାରତ ପକ୍ଷରୁ ବଜାଜ୍ ଫିନସର୍ଭ ଲିମିଟେଡ ଏମଡି ତଥା ଅଧ୍ୟକ୍ଷ ସଂଜୀବ ବଜାଜ, ଭାରତ ଫର୍ଜର ଏମଡି ତଥା ଅଧ୍ୟକ୍ଷ ବାବା ଏନ୍ କଲ୍ୟାଣୀ, ଡାଲମିଆଁ ସିମେଣ୍ଟ୍(ଭାରତ) ଲିମିଟେଡ ଏମ୍‌ଡି ତଥା ସିଇଓ ମହେନ୍ଦ୍ର ସିଂଘି, ହିନ୍ଦୁସ୍ତାନ ପୋର୍ଟସ ପ୍ରାଇଭେଟ ଲିମିଟେଡର ସିଇଓ ତଥା ଏମ୍‌ଡି ରିଜ୍‌ୱାନ ସୁମାର, ହିରାନନ୍ଦାନି ଗ୍ରୁପ ଅଧ୍ୟକ୍ଷ ଦର୍ଶନ ହିରାନନ୍ଦାନି, ଇଣ୍ଡିଆନ ହୋଟେଲ୍‌ସ କମ୍ପାନି ଲିମିଟେଡର ଏମ୍‌ଡି ତଥା ସିଇଓ ପୁନୀତ ଛଟୱାଲ, ଓୟୋ ରୁମ୍‌ସର ସିଇଓ ତଥା ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ, ପିଆଇ ଇଣ୍ଡଷ୍ଟ୍ରିଜ ଲିମିଟେଡର ସେବାନିବୃତ୍ତ ଅଧ୍ୟକ୍ଷ ସଲିଲ ସିଂଘଲ, ଟେକ୍ ମହିନ୍ଦ୍ରାର ଏମଡି ତଥା ସିଇଓ ସିପି ଗୁର୍‌ନାନୀ, ସୁଜଲନ ଏନର୍ଜିର ତୁଲ୍‌ସି ତନ୍ତି, ରିନିୟୁ ପାୱାର ଅଧ୍ୟକ୍ଷ ସୁମନ୍ତ ସିହ୍ନା, ଇନଭେଷ୍ଟ ଇଣ୍ଡିଆର ସିଇଓ ତଥା ଏମଡି ଦୀପକ ବାଗଲା ପ୍ରମୁଖ ଯୋଗଦେଇଥିଲେ। ଡେନମାର୍କ ବ୍ୟବସାୟୀ ମଣ୍ଡଳୀରେ ପାଖାପାଖି ୧୬ ଜଣ ଉଦ୍ୟୋଗୀ ଭାଗ ନେଇଥିଲେ।

ଏପ୍ରିଲରେ ରେକର୍ଡ ରପ୍ତାନି
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଭାରତ ରେକର୍ଡ ୩୮୧୯ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି। ଏପ୍ରିଲ ମାସରେ ଭାରତର ସାମଗ୍ରୀ ରପ୍ତାନି ୨୪.୨୨ ପ୍ରତିଶତ ଅଧିକ ହୋଇଛି। ସେହିଭଳି ଏହି ମାସରେ ଅଣ ପେଟ୍ରୋଲିୟମ ସାମଗ୍ରୀର ରପ୍ତାନିରେ ୧୨.୩ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଏ କ୍ଷେତ୍ରର ଆମଦାନିରେ ୯.୮ ପ୍ରତିଶତ ବୃଦ୍ଧି ଘଟିଛି। ଅଣ ପେଟ୍ରୋଲିୟମ, ଅଣ ଅଳଙ୍କାର ରପ୍ତାନି ଏପ୍ରିଲରେ ୧୪.୩୮ ପ୍ରତିଶତ ବୃଦ୍ଧି ଘଟି ୨୭୧୬ କୋଟି ଡଲାର ହୋଇଛି। ଗତବର୍ଷ ଏପ୍ରିଲରେ ଏସବୁ ସାମଗ୍ରୀର ରପ୍ତାନି ୨୩୭୪ କୋଟି ଡଲାର ରହିଥିଲା। ଏପ୍ରିଲ ମାସର ରପ୍ତାନିରେ ଯେଉଁ ବୃଦ୍ଧି ଘଟିଛି ସେଥିରେ ପେଟ୍ରୋଲିୟମ ଉତ୍ପାଦ ୧୧୨.୨୧ ପ୍ରତିଶତ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ୬୪.୦୪ ପ୍ରତିଶତ ଏବଂ ‌ରସାୟନିକ ସାମଗ୍ରୀ ୨୬.୭୧ ପ୍ରତିଶତ ରହିଛି। ତେବେ ଏପ୍ରିଲ ମାସରେ ଦେଶର ସାମଗ୍ରୀ ଆମଦାନି ୫୮୨୬ କୋଟି ଡଲାରକୁ ବଢ଼ିଛି, ଯାହାକି ୨୦୨୧ ଏପ୍ରିଲ ତୁଳନାରେ ୨୬.୫୫ ପ୍ରତିଶତ ଅଧିକ। ଅଣ ପେଟ୍ରୋଲିୟମ ସାମଗ୍ରୀର ଆମଦାନି ୩୮୭୫ କୋଟି ଡଲାର ରହିଛି। ୨୦୨୧ ଏପ୍ରିଲରେ ଅଣ ପେଟ୍ରୋଲିୟମ ସାମଗ୍ରୀର ଆମଦାନି ୩୫୨୭ କୋଟି ଡଲାର ରହିଥିଲା। ଫଳରେ ଏପ୍ରିଲରେ ଦେଶର ବାଣିଜ୍ୟ ନିଅଣ୍ଟ ୨୦୦୭ କୋଟି ଡଲାର ରହିଛି।

ସମ୍ବନ୍ଧିତ ଖବର