ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ମାଣ୍ଡଭୀୟଙ୍କ କୋଭିଡ୍‌ ସମୀକ୍ଷା ବୈଠକ: ବ୍ୟାପକ ହେବ ‘ହର୍‌ ଘର୍‌ ଦସ୍ତକ’ ଅଭିଯାନ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍‌ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭର୍ଚୁଆଲ୍‌ ଭାବେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଦେଶରେ ୧୨ କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ଦ୍ବିତୀୟ ଡୋଜ୍‌ ନେବାର ସମୟ ହୋଇଯାଇଛି। ସମସ୍ତେ ଠିକ୍‌ ସମୟରେ ଟିକା ନେବା ସୁନିଶ୍ଚିତ କରିବାପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ‘ହର୍‌ ଘର୍‌ ଦସ୍ତକ୍‌ ’ ଅଭିଯାନ ଅଧୀନରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସ ବର୍ଗର ଜନସଂଖ୍ୟା ପ୍ରଥମ ଡୋଜ୍‌ ନେବା ଉଚିତ ବୋଲି ସେ କହିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିକାକରଣ ଏବଂ ‌କରୋନା ନିୟମାବଳିର ପାଳନ ଦ୍ବାରା ହିଁ କରୋନାକୁ ମୁକାବିଲା କରିହେବ। କରୋନା ସମ୍ପୂର୍ଣ୍ଣ ନଯିବା ପର୍ଯ୍ୟନ୍ତ ଆମକୁ ସତର୍କ ହେବାକୁ ପଡ଼ିବ ବୋଲି ମାଣ୍ଡଭୀୟ କହିଛନ୍ତି। ଦେଶରେ ଏବେ ୧୮ ବର୍ଷରୁ ଅଧିକ ୭୯ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଥିବାବେଳେ ୩୮ ପ୍ରତିଶତ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।

ବସ୍‌ ଷ୍ଟାଣ୍ଡ୍‌, ରେଳ ଷ୍ଟେସନ୍‌ରେ କୋଭିଡ୍‌ ଟିକାକରଣ କେନ୍ଦ୍ର ଆରମ୍ଭ କରିବାପାଇଁ ମାଣ୍ଡଭୀୟ କହିଛନ୍ତି। କୋଭିଡ୍‌ ବିରୋଧରେ ଲଢ଼େଇ ଶେଷ ହୋଇନାହିଁ ବୋଲି ମାଣ୍ଡଭୀୟ ସମସ୍ତ ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି। କୋଭିଡ୍‌ ଶେଷ ହୋଇଯାଇଛି ବୋଲି ଚିନ୍ତା କରିବା ଉଚିତ୍‌ ନୁହେଁ। ବୈଶ୍ବିକ ସ୍ତରରେ ସିଙ୍ଗାପୁର, ବ୍ରିଟେନ, ରୁଷ୍‌ ଏବଂ ଚୀନ୍‌ରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ବୈଠକରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ‌୍, ଉତ୍ତରାଖଣ୍ଡର ଧନ ସିଂହ ରାୱତ, ବନ୍ନା ଗୁପ୍ତା (ଝାଡ଼ଖଣ୍ଡ), ଲାଲଥାଙ୍ଗଲିଆନା (ମିଜୋରାମ), ମଙ୍ଗଳ ପାଣ୍ଡେ (ବିହାର), ‌କେ ସୁଧାକର (କର୍ଣ୍ଣାଟକ), ରାଜେଶ ଟୋପେ (ମହାରାଷ୍ଟ୍ର), ପ୍ରଭୁରାମ ଚୌଧୁରୀ (ମଧ୍ୟପ୍ରଦେଶ), ଜୟ ପ୍ରତାପ ସିଂହ (ଉତ୍ତରପ୍ରଦେଶ), ଏମଏ ସୁବ୍ରମଣ୍ୟମ୍‌ (ତାମିଲନାଡୁ), ବିଶ୍ବଜିତ ରାଣେ (‌ଗୋଆ), ଋଷିକେଶ ଗଣେଶଭାଇ ପଟେଲ (ଗୁଜରାଟ), କେଶବ ମହନ୍ତ (ଆସାମ), ସତ୍ୟେନ୍ଦ୍ର ଜୈନ (ଦିଲ୍ଲୀ) ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ରାଜ୍ୟର ପ୍ରମୁଖ ସଚିବ/ଅତିରିକ୍ତ ମୁଖ୍ୟ ସଚିବ ଏବଂ ମିସନ୍‌ ଡାଇରେକ୍ଟର ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର