ଗେମ୍‌ ପ୍ରେମୀଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ

୯୦% ପସନ୍ଦ ମୋବାଇଲ୍‌ ଗେମ୍, ଗେମ୍‌ ଖେଳିବାରେ ସପ୍ତାହକୁ ସାଢ଼େ ୮ ଘଣ୍ଟା ବିତାଉଛନ୍ତି

ନୂଆଦିଲ୍ଲୀ : ଭାରତର ଗେମିଂ ଶିଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୨୬ ସୁଦ୍ଧା ତାହା ୨୧୮% ହାରରେ ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଛି। ଭାରତରେ ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୧୭-୧୮ରେ ‌ଗେମ୍ ପ୍ରେମୀଙ୍କ ସଂଖ୍ୟା ୨୫ କୋଟି ଥିଲା। ବର୍ଷକ ପରେ ତାହା ୪୦ କୋଟି, ୨୦୨୦-୨୧ରେ ୪୫ କୋଟି ହେବା ପରେ ୨୦୨୧-୨୨ରେ ସେମାନଙ୍କ ସଂଖ୍ୟା ୫୦ କୋଟି ୭୦ ଲକ୍ଷରୁ ଅଧିକ ହୋଇଛି।

ମୋବାଇଲ୍‌ ଗେମ୍ ଡାଉନ୍‌ଲୋଡ୍‌ କ୍ଷେତ୍ରରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଭାରତ ପଛକୁ ଏହି ତାଲିକାରେ ରହିଛି ଚୀନ୍, ଆମେରିକା, ବ୍ରାଜିଲ୍‌ ଓ ଇଣ୍ଡୋନେସିଆ। ଭାରତରେ ମୋବାଇଲ୍‌ ଗେମ୍‌ ଖେଳିବାରେ ଲୋକମାନେ ସପ୍ତାହକୁ ହାର‌ହାରି ସାଢ଼େ ଆଠ ଘଣ୍ଟା ବିତାଉଛନ୍ତି। ଗତ ପାଞ୍ଚ ବର୍ଷରେ ଗେମିଂ ଶିଳ୍ପରେ ୨୮୦ କୋଟି ଡଲାରର ନିବେଶ ହୋଇଛି। ଭାରତର ୯୦% ଗେମର୍‌ ହେଉଛନ୍ତି ମୋବାଇଲ୍‌ ଗେମ୍‌ ଖେଳୁଥିବା ଲୋକ। ଭାରତର ପ୍ରତି ମାସରେ ୨ ନିୟୁତରୁ ଅଧିକ ପେଡ୍‌ ଗେମ୍ ସାମିଲ ହେଉଛନ୍ତି। ଦେଶର ପ୍ରମୁଖ ଗେମିଂ ସଂସ୍ଥା ହେଉଛନ୍ତି ଡ୍ରିମ୍ ୧୧, ନାଜାରା ଟେକ୍ନୋଲୋଜିସ୍, ପେଟିଏମ୍‌ ଫାଷ୍ଟ୍‌ ଗେମ୍‌ସ, ମୁନଫ୍ରଗ୍ ଲ୍ୟାବ୍‌ସ, ଗେମ୍‌ସ୨ୱିନ ଏବଂ ୯୯ ଗେମ୍‌ସ।

ସମ୍ବନ୍ଧିତ ଖବର