ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: ୯ ରାଜନୈତିକ ଦଳ ଉପରେ ଜରିମାନା

ପ୍ରାର୍ଥୀଙ୍କ ଅପରାଧିକ ମାମଲା ସାର୍ବଜନୀନ କରିନାହାନ୍ତି ଦଳ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଏକାଧିକ ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ‌ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ସାର୍ବଜନୀନ କରି ନଥିବାରୁ ଅଦାଲତ ଅବମାନନା କରିଥିବାରୁ ବିଜେପି ଏବଂ କଂଗ୍ରେସ ସମେତ ୯ ରାଜନୈତିକ ଦଳ ଉପରେ ଜରିମାନା ଲଗାଇଛନ୍ତି। ବିଜେପି, କଂଗ୍ରେସ ଏବଂ ଅନ୍ୟ ୫ ଦଳ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଥିବାବେଳେ ସିପିଏମ୍‌ ଏବଂ ଏନ୍‌ସିପିକୁ ୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଗତବର୍ଷ ବିହାର ବିଧାନସଭା ନିର୍ବାଚନରେ ଉପରୋକ୍ତ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀଙ୍କ ବି‌ରୋଧରେ ଥିବା ଅପରାଧିକ ମାମଲା ସାର୍ବଜନୀନ କରିନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଚୟନର ୪୮ ଘଣ୍ଟା‌ ମଧ୍ୟରେ ସେମାନଙ୍କ ଅପରାଧିକ ରେକର୍ଡକୁ ସାର୍ବଜନୀନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଆରଏଫ୍‌ ନରିମାନ ଏବଂ ବିଆର୍‌ ଗଭାଇଙ୍କ ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟଙ୍କ କଥାକୁ କାହାର ଖାତିର ନାହିଁ। ଆମେ କିଛି କରିବାକୁ ଚାହିଲେ ମଧ୍ୟ ଆମ ହାତ ବନ୍ଧା ହୋଇଛି। ବାରମ୍ବାର କହିବା ସତ୍ତ୍ବେ ରାଜନୈତିକ ଦଳଗୁଡ଼ିକ ଗଭୀର ନିଦ୍ରାରେ ଶୋଇଛନ୍ତି। ଆଇନପ୍ରଣେତାମାନେ ତୁରନ୍ତ ନିଦରୁ ଉଠି ରାଜନୀତିକୁ ଅପରାଧମୁକ୍ତ କରିବା‌ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ୍‌ ବୋଲି ଖଣ୍ଡପୀଠ କହିଛନ୍ତି।

ହାଇକୋର୍ଟଙ୍କ ବିନା ଅନୁମତିରେ ବିଧାୟକ, ସାଂସଦଙ୍କ ମାମଲା ପ୍ରତ୍ୟାହାର କରିପାରିବେନି ରାଜ୍ୟ

ଭବିଷ୍ୟତରେ ଦଳ ଗୁଡ଼ିକ ସେମାନଙ୍କ ପ୍ରାର୍ଥୀଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସାର୍ବଜନୀନ କରିବା ନେଇ କୋର୍ଟ ଦଳ ଗୁଡ଼ିକୁ ସତର୍କ କରାଇଛନ୍ତି। ସେମାନେ ୱେବସାଇଟ୍‌ରେ ପ୍ରାର୍ଥୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ବିସ୍ତୃତ ତଥ୍ୟ ଦେବେ। ଅନ୍ୟପକ୍ଷେ ନିର୍ବାଚନ କମିସନ୍‌ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ କରିବେ। ଏହାଦ୍ବାରା ଭୋଟର୍‌ମାନେ ସହଜରେ ତଥ୍ୟ ପାଇପାରିବେ। ସେହିପରି ରାଜ୍ୟ ସରକାରଙ୍କ କ୍ଷମତାର ଅପବ୍ୟବହାରକୁ ରୋକିବାପାଇଁ କୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ବିନା ସ୍ବୀକୃତିରେ ରାଜ୍ୟମାନେ ବିଧାୟକ ଏବଂ ସାଂସଦମାନଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିପାରିବେନି। ବରିଷ୍ଠ ଆଇନଜୀବୀ ବିଜୟ ହଂସରିଆଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ରାଜନୈତିକ ଦଳ ଗୁଡ଼ିକ ସେମାନଙ୍କ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ସଂକ୍ରାନ୍ତ ରିପୋର୍ଟ ସାର୍ବଜନୀନ କରୁନାହାନ୍ତି ସେହି ଦଳ ଗୁଡ଼ିକର ଦଳୀୟ ଚିହ୍ନ ରଦ୍ଦ କରିଦେବାପାଇଁ ଆବେଦନ ହୋଇଥିଲା। ସେହିପରି ସୁପ୍ରିମକୋର୍ଟ ୨୦୨୦ ଫେବ୍ରୁଆରିରେ ଉକ୍ତ ପ୍ରସଙ୍ଗରେ ଦେଇଥିବା‌ ଏକ ରାୟର କାହିଁକି ପାଳନ ହୋଇନାହିଁ ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆବେଦନରେ ଦର୍ଶାଯାଇଥିଲା। ଗତବର୍ଷ ସୁପ୍ରିମକୋର୍ଟ ରାୟ ଦେଇ କହିଥିଲେ, ରାଜନୈତିକ ଦଳଗୁଡ଼ିକ କେଉଁ କାରଣ ପାଇଁ ଅପରାଧିକ ମାମଲା ଥିବା ପ୍ରାର୍ଥୀ ବାଛୁଛନ୍ତି ତାହା ଜଣାଇବେ ଏବଂ ଦଳର ୱେବସାଇଟ୍‌ରେ ପ୍ରକାଶ କରିବେ।

ସମ୍ବନ୍ଧିତ ଖବର