ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ାକୁ କେନ୍ଦ୍ର କରି କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ନିନ୍ଦନୀୟ: ସୁପ୍ରିମ୍ କୋର୍ଟ
ସଲିସିଟର ଜେନେରାଲଙ୍କୁ ୫୦ଟି ପ୍ରଶ୍ନ ପଚାରିବା ସହ ପ୍ରତି ପ୍ରଶ୍ନର ଉତ୍ତର ମାଗିଲେ କୋର୍ଟ
ନୂଆଦିଲ୍ଲୀ: ସମଗ୍ର ଦେଶ ଏବେ କରୋନା ମାହାମାରୀକୁ ନେଇ ଯୁଝୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ାକୁ କେନ୍ଦ୍ର କରି ଯେଉଁ ସଂକୀର୍ଣ୍ଣ ରାଜନୈତିକ ଲଢ଼େଇ ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ କୌଣସି ପରିସ୍ଥିତିରେ ବି ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ବେଶ କଡ଼ା ଓ କଟୁ ଶବ୍ଦ ପ୍ରୟୋଗ ପୂର୍ବକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଜଣାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍କେ କୌଲ ଓ ଜଷ୍ଟିସ୍ ଏମ୍କେ ଶାହାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସଂପର୍କରେ ନିଜ ତରଫରୁ ଆଗତ ଏକ ମାମଲାର ଶୁଣାଣି କରିବା କାଳରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଉପରେ ଖୋଲା କୋର୍ଟରୁମ୍ ଭିତରେ ଖୁବ୍ ବର୍ଷିଛନ୍ତି। ସଲିସିଟର ଜେନେରାଲ ମେହେଟ୍ଟାଙ୍କୁ ତିନି ଜଣିଆ ଖଣ୍ଡପୀଠ କୋର୍ଟରୁମ୍ରେ ୫୦ଟି ପ୍ରଶ୍ନ ପଚାରିବା ସହ ପ୍ରତି ପ୍ରଶ୍ନର ଉତ୍ତର ମାଗିଥିଲେ। ଏହି ମାମଲାର ଶୁଣାଣି କାଳରେ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଇ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା କ୍ଷେତ୍ରରେ ସରକାର ଯେଉଁ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ।
ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରିଥିଲେ। ତେବେ, କେନ୍ଦ୍ର ସରକାର ଲକ୍ଡାଉନ୍ ଜାରିଦେବା ପରେ ଦେଶର ବିଭିନ୍ନ ରାଜ୍ୟରେ ଅଟକ ରହିଯାଇଥିବା ଲକ୍ଷ ଲକ୍ଷ ଶ୍ରମିକ ନିଜ ପରିବାରକୁ ଧରି ଅକଥନୀୟ, ଅବର୍ଣ୍ଣନନୀୟ ଦୁର୍ଦ୍ଦଶା ମଧ୍ୟରେ ନିଜ ନିଜ ଜୀବନକୁ ବାଜି ଲଗାଇ ଯେପରି ଭାବେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି, ସେ ଦୃଶ୍ୟକୁ ଦେଖିବା ପରେ ତମାମ୍ ଦେଶରେ ଗଭୀର ପ୍ରତିକ୍ରିୟା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ଦେଶର ଗଣମାଧ୍ୟମମାନଙ୍କରେ ରିପୋର୍ଟ ପ୍ରକାଶିତ ହେବା ପରେ ସୁପ୍ରିମ୍ କୋର୍ଟ ନିଜ ତରଫରୁ ଏକ ମାମଲା ଆଗତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନୋଟିସ୍ ଜାରି କରିଥିଲେ।
ଲକ୍ଡାଉନ୍ କାଳରେ ପ୍ରବାସୀମାନେ କିପରି ନିଜ ନିଜ ଘରକୁ ଫେରିବେ ସେ ଦାୟିତ୍ୱ ସରକାରଙ୍କର। ଆଉ ପ୍ରବାସୀମାନଙ୍କୁ ଟ୍ରେନ୍ ଯୋଗାଇବା ଦାୟିତ୍ୱ ରେଳବିଭାଗର। ପ୍ରବାସୀ ଶ୍ରମିକମାନେ ମଧ୍ୟ ଦେଶର ନାଗରିକ। ତେଣୁ ତାଙ୍କର କଥା ବୁଝିବା ମଧ୍ୟ ସରକାରଙ୍କର ଦାୟିତ୍ୱ। ସମଗ୍ର ଦେଶ ଲକ୍ଡାଉନ୍ ମଧ୍ୟରେ ବନ୍ଧା ପଡ଼ିଥିବାବେଳେ ଏହି ପ୍ରବାସୀ ଶ୍ରମିକମାନଙ୍କ ନିକଟରେ ବର୍ତ୍ତମାନ ଉପାର୍ଜନର ପନ୍ଥା ନାହିଁ। ତେଣୁ, ରେଳ ବିଭାଗ ସେମାନଙ୍କ ଯାତ୍ରାକୁ ଦେୟମୁକ୍ତ କରିବା ସହ ଯାତ୍ରା କାଳରେ ସେମାନଙ୍କର ଖାଦ୍ୟପେୟ ଓ ରହଣିର ବ୍ୟବସ୍ଥା ବିନାମୂଲ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟର୍ଙ୍କ ଖଣ୍ଡପୀଠ।
ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସରକାର ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣର ତଦାରଖ କରିବା ସହ ଏବଂ ସେମାନେ ଟ୍ରେନ୍ କିମ୍ବା ବସ୍ରେ ଯବେ ତାହାକୁ ଆଗ ନିଶ୍ଚିତ କରିବେ। ରାଜ୍ୟ ସରକାରମାନେ ମଧ୍ୟ ସେମାନଙ୍କ ରାଜ୍ୟରେ ଅଟକ ରହି ଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟପାନୀୟ ଯୋଗାଇବେ। ନିଜ ନିଜ ଘରକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ ଆଶ୍ରୟସ୍ଥଳକୁ ନିଆଯିବା ସହ ଖାଦ୍ୟ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯିବା ଉଚିତ୍ ବୋଲି ବିଚାରପତିମାନେ କହିଛନ୍ତି।
ଏହି ମାମଲାରେ କୋର୍ଟରେ ପ୍ରବାସୀ ଶ୍ରମିକମାନଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଇନ୍ଦରା ଜୟସିଂହ କହିଛନ୍ତି ଯେ ୧୯୯୧ ଜନଗଣନା ଅନୁଯାୟୀ, ପ୍ରବାସୀ ଶ୍ରମିକ ୩ କୋଟିରୁ ଅଧିକ ଥିଲେ। ୨୦୨୦ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୪ କୋଟି ହୋଇଥିବା ଏକପ୍ରକାର ନିଶ୍ଚିତ। ଯଦି ରେଳବାଇ ୨୭ ଦିନରେ ୯୧ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ପରିବହନ କରିଛନ୍ତି, ତେବେ ଅନ୍ୟମାନଙ୍କର ପରିବହନ ପାଇଁ ଆଉ ୩ ମାସ ସମୟ ଲାଗିଯିବ।