ଆମେରିକାକୁ ଧମକାଇଲା ତାଲିବାନ: ଅଗଷ୍ଟ ୩୧ ସୁଦ୍ଧା ସେନା ପ୍ରତ୍ୟାହାର ନ‌କଲେ ଭୟାନକ ପରିଣାମ

ରବିବାର ୧୦,୪୦୦ ଲୋକଙ୍କୁ ଖାଲି କରିଛି ଆମେରିକା ସେନା, ତାଲିବାନ ସରକାରକୁ ଆର୍ଥିକ ସହାୟତା ଯୋଗାଇବ ଚୀନ୍‌

କାବୁଲ : ଆଫଗାନିସ୍ତାନରେ ଏବେ ଆମେରିକା ସେନା ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କାବୁଲ ବିମାନବନ୍ଦରକୁ ଆମେରିକା ନିଜ ନିୟନ୍ତ୍ରଣରେ ରଖିଛି ଏବଂ ସେଠାରେ ଆମେରିକାର ପ୍ରାୟ ୬ ହଜାର ସୈନିକ ଅଛନ୍ତି। ତେବେ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ତାଲିବାନ ଧମକ ଦେଇଛି। ଅଗଷ୍ଟ ୩୧କୁ ତାଲିବାନ ରେଡ୍‌ ଲାଇନ୍‌ ବୋଲି କହିଛି ଏବଂ ଏହାପରେ ଜଣେ ବି ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତିକୁ ସହ୍ୟ କରାଯିବ ନାହିଁ ବୋଲି ତାଲିବାନର ପ୍ରମୁଖ କମାଣ୍ଡରମାନେ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଅଗଷ୍ଟ ୩୧ ସୁଦ୍ଧା କାବୁଲ୍‌ରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବା ବିଷୟକୁ ନେଇ ଚାପରେ ଅଛନ୍ତି। ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‌ କହିଛି ଯେ, ଅଗଷ୍ଟ ୩୧ ସୁଦ୍ଧା ସମସ୍ତଙ୍କୁ କାବୁଲରୁ ଖାଲି କରିବା ଅସମ୍ଭବ। ବିଭିନ୍ନ ଦେଶର ନାଗରିକମାନେ ବିମାନ ବନ୍ଦର ପହଞ୍ଚିବା ରାସ୍ତାରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ବାଇଡେନ୍‌ ରବିବାର ଦିନ ହ୍ବାଇଟ୍‌ ହାଉସ୍‌ରେ ସୂଚନା ଦେଇ କହିଥିଲେ ଯେ, ସୈନ୍ୟ ପ୍ରତ୍ୟାହାର ପାଇଁ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆହୁରି ଅଧିକ ଦିନ ଲାଗିପାରେ ଏବଂ ଏନେଇ ବିଚାରବିମର୍ଶ ଜାରି ରହିଛି।

ତାଲିବାନ୍‌ ମୁଖପାତ୍ର ସୁହେଲ ଶାହିନ ଅଗଷ୍ଟ ୩୧ ଡେଡ୍‌ଲାଇନ୍‌କୁ ଆମେରିକା ରେଡ୍‌ଲାଇନ୍‌ ଭାବେ ଗ୍ରହଣ ନକଲେ ପରିଣାମ ଭୋଗିବ ବୋଲି କହିଛନ୍ତି। ଯଦି ଆମେରିକା ଏବଂ ବ୍ରିଟେନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ସମୟ ମାଗନ୍ତି ‌ତେବେ ଏଥିପାଇଁ ଅନୁମତି ମିଳିବନାହିଁ। ଯଦି ଅଗଷ୍ଟ ୩୧ ପରେ ବି କାବୁଲ୍‌ରେ ଆମେରିକା ଏବଂ ବ୍ରିଟେନ୍‌ର ସୈନିକ ରହନ୍ତି ତେବେ ଫଳାଫଳ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେଣୁ ଆଗକୁ ସ୍ଥିତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତାକାଲି ଜି-୭ ‌‌ବୈଠକ ଥିବାବେଳେ ଏହି ବୈଠକରେ ବ୍ରିଟେନ୍‌ ଆମେରିକାକୁ ଏହାର ଉଦ୍ଧାର କାର୍ଯ୍ୟକୁ ଅଗଷ୍ଟ ୩୧ ତାରିଖ ପରେ ବି ଜାରି ରଖିବା ପାଇଁ କହିବ ବୋଲି ଜଶାପଡ଼ିଛି। ଆମେରିକା ଯୁଦ୍ଧକାଳୀନ ଭିତ୍ତିରେ କାବୁଲ୍‌ରୁ ଏହାର ନାଗରିକଙ୍କୁ ଖାଲି କରୁଛି। ରବିବାର ଆମେରିକା କାବୁଲ୍‌ରୁ ୧୦,୪୦୦ ନାଗରିକଙ୍କୁ ଖାଲି କରିଛି। ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଚୀନ୍‌ ଏହାକୁ ଆର୍ଥିକ ସହାୟତା ଯୋଗାଇଦେବ ବୋଲି କହିଛି।

ସମ୍ବନ୍ଧିତ ଖବର