ଦଳକୁ ଅକଳରେ ପକାଇଲେ, ଟିକେଟ କଟିଲା

ନୂଆଦିଲ୍ଳୀ: ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅକଳରେ ପକାଇଥିବା ଅନେକ ସାଂସଦଙ୍କୁ ଏଥର ଟିକେଟ ଦେଇନାହିଁ ବିଜେପି। ଲୋକସଭା‌ ନିର୍ବାଚନରେ ୩୭୦ ଆସନ ହାସଲ ଲାଗି ଟର୍ଗେଟ ଧାର୍ଯ୍ୟ କରିଥିବା ବିଜେପି ଏଭଳି ଲୋକଙ୍କୁ ପ୍ରାର୍ଥୀ କରିବାକୁ ମନା କରିଦେଇଛି, ଯେଉଁମାନେ ଦଳ ପାଇଁ ବୋଝ ହେଉଛନ୍ତି। ଏହାର ସବୁଠାରୁ ବଡ଼ ଉଦାହରଣ ହେଲେ କର୍ଣ୍ଣାଟକରୁ ୬ ଥର ସାଂସଦ ହୋଇଥିବା ବିଜେପି ଏମ୍‌ପି ଅନନ୍ତ ହେଗ୍‌ଡ଼େ। ଗତ ୨୮ ବର୍ଷ ଧରି ସେ ଉତ୍ତର କନ୍ନଡ଼ ଲୋକସଭା ଆସନରୁ ବିଜୟୀ ହୋଇ ଆସୁଛନ୍ତି। କିନ୍ତୁ ସେ ସମ୍ବିଧାନ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଉଭୟ ମୋଦୀ ସରକାର ଓ ବିଜେପିକୁ ଅଡ଼ୁଆରେ ପକାଇବାରୁ ତାଙ୍କୁ ପ୍ରାର୍ଥୀ ତାଲିକ‌ାରୁ ବାଦ୍ ଦିଆଯାଇଛି। ଲୋକସଭାରେ ୪୦୦ ଆସନ ମିଳିଲେ ମୋଦୀ ସରକାର ଭାରତୀୟ ସମ୍ବିଧାନରେ ପରିବର୍ତ୍ତନ କରିବେ ବୋଲି ସେ କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ସରକାର ଚାରିଆଡ଼ୁ ସମାଲୋଚନାରୁ ଶିକାର ହେବାରୁ ବିଜେପି ହେଗଡ଼େଙ୍କ ଏଭଳି ମନ୍ତବ୍ୟରୁ ନିଜକୁ ଦୂରେଇ ନେବା ସହିତ ତାଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲା।
ସୂଚନାଯୋଗ୍ୟ ଯେ ପୂର୍ବରୁ ଏକାଧିକ ଥର ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡ଼ୁଆରେ ପକାଇଥିବା ହେଗଡ଼େ କିଛି ଦନ ତଳେ ଏକ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ହିନ୍ଦୁମାନଙ୍କୁ ନିର୍ଯାତନା ଦେବା ଉଦ୍ଦେଶ୍ୟରେ କଂଗ୍ରେସ ସମ୍ବିଧାନରେ ସଂଶୋଧନ କରିଥିଲା। ସମ୍ବିଧାନକୁ ବଦଳାଇବାକୁ ହେଲେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର। ତାଙ୍କର ମନ୍ତବ୍ୟକୁ ନେଇ ବିରୋଧୀମାନେ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାରୁ ବିଜେପି ହେଗଡ଼େଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇଥିଲା। କେବଳ ଏତିକି ନୁହେଁ, ଲୋକସଭା ନିର୍ବାଚନରେ ଦଳୀୟ ଟିକେଟ ନଦେବାଲାଗି ମଧ୍ୟ ସ୍ଥିର କରିଥିଲେ। ତାଙ୍କ ସ୍ଥାନରେ ବିଧାୟକ ବିଶେଶ୍ବର ହେଗଡ଼େଙ୍କୁ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରିଛି। ଟିକେଟ ପାଇଁ ହେଗଡ଼େ ହାଇକମାଣ୍ଡଙ୍କ ନିକଟରେ ଲବି କରିଥିଲେ। ମାତ୍ର ହାଇକମାଣ୍ଡ ନିଜ ଜିଦରେ ଅଟଳ ରହି ଏଭଳି ବିବ‌ାଦୀୟ ନେତାମାନଙ୍କ ଉଦ୍ଦେଶ୍ୟରେ କଡ଼ା ବାର୍ତ୍ତା ଦେଇଥିଲେ। ବାର୍ତ୍ତାଟି ଥିଲା ‌‌ଯେ ବିବାଦୀୟ ଆଚରଣ ପାଇଁ ପାର୍ଟିକୁ ଅଡ଼ୁଆରେ ପକାଉଥିବା ଲୋକଙ୍କୁ ଦଳ ବରଦାସ୍ତ କରିବ ନାହିଁ।

କେବଳ ହଗେଡ଼େ ନୁହନ୍ତି, ଏହାପୂର୍ବରୁ ପ୍ରଜ୍ଞା ଠାକୁର, ରମେଣ ବିଧୁରି ଏବଂ ପର୍ବେଶ ସିଂହ ବର୍ମାଙ୍କୁ ମଧ୍ୟ ଅନୁରୂପ କାରଣ ପାଇଁ ବିଜେପି ଟିକଟ ଦେବାକୁ ମନା କରିଦେଇଛି। ଏମାନେ ମଧ୍ୟ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଦଳୀୟ ନେତୃତ୍ବକୁ ଅଡ଼ୁଆରେ ପକ‌ାଇଥିଲେ। ଭୋପାଳରୁ ସାଂସଦ ଥିବା ପ୍ରଜ୍ଞା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ସପକ୍ଷରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ତୀବ୍ର ପ୍ରତିକ୍ରିୟ‌ା ପ୍ରକାଶ କରିବା ସହିତ ସେ କେବେ ବି ପ୍ରଜ୍ଞାଙ୍କୁ କ୍ଷମା କରିବେ ନାହିଁ ବୋଲି କହିଥିଲେ। ବିଜେପି ଏଥର ତାଙ୍କ ସ୍ଥାନରେ ଆଲୋକ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ଦକ୍ଷିଣ ଦିଲ୍ଲୀ ଆସନରୁ ପ୍ରତିନିଧିତ୍ବ କରୁଥିବା ରମେଶ ବିଧୁରିଙ୍କୁ ମଧ୍ୟ ଟିକେଟ ଦିଆଯାଇ ନାହିଁ। ଲୋକସଭା ଭିତରେ ସେ ଅନ୍ୟଜଣେ ସାଂସଦ ଦାନିଶ ଅଲ୍ଳୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଲୋକସଭାରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତାଙ୍କ ପାଇଁ ମୋଦୀ ସରକାର ଅପଦସ୍ଥ ‌ହୋଇଥିଲେ। ପଶ୍ଚିମ ଦିଲ୍ଲୀର ଲୋକସଭା ସାଂସଦ ପରବେଶ ବର୍ମାଙ୍କର ଟିକଟ ମଧ୍ୟ ଅନୁରୂପ କାରଣରୁ କଟିଛି। ୨୦୧୪ ଏବଂ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିବା ପରବେଶ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଘୃଣା ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଡ଼ୁଆରେ ପକାଇଥିଲେ। ତାଙ୍କ ସ୍ଥାନରେ କମଲଜୀଙ୍କୁ ବିଜେପି ଟିକେଟ ଦେଇଛି। କର୍ଣ୍ଣାଟକର ଆଉ ଜଣେ ସାଂସଦ ପ୍ରତାପ ସିମାଙ୍କୁ ମଧ୍ୟ ଏଥର ଟିକେଟ ମିଳିନାହିଁ। ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ପଶି ହଙ୍ଗାମା କରିଥିବା ଯୁବକମାନଙ୍କୁ ସେ ପାସ୍ ଦେଇଥିଲେ।

ସମ୍ବନ୍ଧିତ ଖବର