‌ଦେଶରେ ୨୦ ନୂଆ ଡେଲ୍‌ଟା ପ୍ଲସ୍‌ ମାମଲା

ମୁମ୍ବାଇ : ଦେଶରେ ପ୍ରାୟ ୨୦ଟି ନୂଆ ଡେଲ୍‌ଟା ପ୍ଲସ୍‌ କରୋନା ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୮ଟି କେବଳ ମହାରାଷ୍ଟ୍ରରେ। ଏହି ସମସ୍ତ ୮ଟି ଡେଲ୍‌ଟା ପ୍ଲସ୍‌ ମାମଲା ମହାରାଷ୍ଟ୍ରର ରତ୍ନଗିରିରୁ ରିପୋର୍ଟ କରାଯାଇଛି। ଅତ୍ୟନ୍ତ ସଂକ୍ରାମକ ଡେଲ୍‌ଟା ପ୍ରଜାତି ପୁନଃ ରୂପାନ୍ତରିତ ହୋଇ ଡେଲ୍‌ଟା ପ୍ଲସ୍‌ରେ ପରିଣତ ହେଉଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସୁଜିତ ସିଂହ କହିଛନ୍ତି, ତାମିଲନାଡ଼ୁ, ମହାରାଷ୍ଟ୍ର, ପଂଜାବ ଏବଂ ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟମାନଙ୍କରୁ ୧୫-୨୦ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ଜୁନ୍‌ ୭ ସୁଦ୍ଧା ଭାରତରେ ୬ଟି ଡେଲ୍‌ଟା ପ୍ଲସ୍‌ ମାମଲା ଥିଲା।

ମହାରାଷ୍ଟ୍ରର ରତ୍ନଗିରିରେ ମେ’ରେ ପ୍ରଥମେ ୫ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଥିଲା। ଏହାପରେ ୫୦ ଟି ମାମଲାର ଜେନମ୍‌ ସିକ୍ବେନ୍ସିଂ ପାଇଁ ପଠା ଯାଇଗଲା। ପରେ ଜୁନ୍‌ ଆରମ୍ଭରେ ପୁଣି ୩ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଥିଲା। ମେଡିକାଲ୍‌ ଶିକ୍ଷା ଏବଂ ଗବେଷଣା ବିଭାଗ ମୁଖ୍ୟ ଡାକ୍ତର ଟିପି ଲାହାନେ କହିଛନ୍ତି, ଡେଲ୍‌ଟା ପ୍ଲସ୍‌ ପ୍ରଜାତିରେ ସଂକ୍ରମିତ ସମସ୍ତ ୮ ଜଣ ସାମାନ୍ୟ ଭାବେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ ଏବଂ ସମସ୍ତେ ସୁସ୍ଥ ‌ହୋଇସାରିଛନ୍ତି। ରତ୍ନଗିରିରେ ଏହି ମାମଲା ୧ ମାସରୁ ଊର୍ଦ୍ଧ୍ବ ସମୟ ଧରି ରହିଛି। କିନ୍ତୁ ଏଥିଯୋଗୁଁ ସଂକ୍ରମଣରେ କୌଣସି ବୃଦ୍ଧି ହୋଇ ନଥିବା ସେ କହିଛନ୍ତି। ଡାକ୍ତର ଲାହାନେ କହିଛନ୍ତି, ଆସନ୍ତା ୨-୩ ସପ୍ତାହ ମଧ୍ୟରେ ସମସ୍ତ ଜିଲ୍ଲାମାନଙ୍କୁ ୧୦୦ ନମୁନା ପଠାଇବା ପାଇଁ କୁହାଯାଇଛି। ଅତି ଗୁରୁତର ମାମଲା, ଟିକାକରଣ ପରେ ସଂକ୍ରମଣ ଏବଂ ଯେଉଁ ଗ୍ରାମ ମାନଙ୍କରେ ସଂକ୍ରମଣ ଅଧିକ ରହୁଛି ସେଠାରୁ ନମୁନା ଅନୁଧ୍ୟାନ ପାଇଁ ପଠାଯିବ ବୋଲି ଡାକ୍ତର ଲାହାନେ କହିଛନ୍ତି।

ସମ୍ବନ୍ଧିତ ଖବର