କର୍ଣ୍ଣାଟକ ନୂଆ ମନ୍ତ୍ରିମଣ୍ଡଳରେ ୨୯ ମନ୍ତ୍ରୀ, କେହି ଉପମୁଖ୍ୟମନ୍ତ୍ରୀ ନାହାନ୍ତି

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଦାୟିତ୍ବ ନେବାର ସପ୍ତାହକ ପରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୨୯ ଜଣ ସାମିଲ ହୋଇଛନ୍ତି। ବୋମାଇଙ୍କ ମନ୍ତ୍ରିମଣ୍ଡଳରେ ଉଭୟ ବରିଷ୍ଠ ଏବଂ ନୂଆ ମୁହଁ ଅଛନ୍ତି। ୨୯ ମନ୍ତ୍ରୀଙ୍କ ମଧ୍ୟରୁ ୨୩ ଜଣ ପୂର୍ବ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିଲେ। ଅନ୍ୟପକ୍ଷେ ୬ ଜଣ ସମ୍ପୂର୍ଣ୍ଣ ନୂଆ। ବୋମାଇ ପୂର୍ବରୁ ସ୍ପ‌ଷ୍ଟ କରିଥିଲେ ଯେ, ହାଇ କମାଣ୍ଡ୍‌ଙ୍କ ନିର୍ଦ୍ଦେଶ ମୁତାବକ ସେ କୌଣସି ଉପମୁଖ୍ୟମନ୍ତ୍ରୀ ରଖିବେ ନାହିଁ। ତେଣୁ କ୍ୟାବିନେଟ୍‌ରେ କୌଣସି ଉପମୁଖ୍ୟମନ୍ତ୍ରୀ ନାହାନ୍ତି। ଅନ୍ୟପକ୍ଷେ ୟେଦୁରପ୍ପାଙ୍କ ସାନ ପୁଅ ତଥା ରାଜ୍ୟ ବିଜେପି ଉପସଭାପତି ବି ୱାଇ ବିଜୟେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇନାହାନ୍ତି।

ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ସମସ୍ତ ନୂଆ ମନ୍ତ୍ରୀଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ କ୍ୟାବିନେଟରେ ୮ ଜଣ ମନ୍ତ୍ରୀ ଲିଙ୍ଗାୟତ, ୭ ଜଣ ଭୋକ୍କାଲିଗା, ୭ ଓବିସି, ୩ ଏସ୍‌ସି, ୨ ଜଣ ବ୍ରାହ୍ମଣ , ଜଣେ ଏସ୍‌ଟି ଏବଂ ଜଣେ ରେଡ୍ଡି ସଂପ୍ରଦାୟର। ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲ୍ଲେ ନୂଆ କ୍ୟାବିନେଟ୍‌ରେ ଏକମାତ୍ର ମହିଳା ପ୍ରତିନିଧି ଭାବେ ସ୍ଥାନ ପାଇଛନ୍ତି। ପ୍ରତିଶ୍ରୁତି ରକ୍ଷା କରି ବୋମାଇ ୨୦୧୯ରେ କଂଗ୍ରେସ -ଜେଡିଏସ୍‌ ମେଣ୍ଟ ଛାଡ଼ିଥିବା ୧୦ ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି।

ସମ୍ବନ୍ଧିତ ଖବର