ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ‘ଆରୋଗ୍ୟ ସେତୁ ଆପ୍‌’ରେ ପଞ୍ଜୀକରଣ ବାଧ୍ୟତାମୂଳକ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କାରଣରୁ ଭାରତ ବାହାରେ ବିଦେଶ ଭୂଇଁରେ ଅଟକ ରହି ଯାଇଥିବା ୧୪,୮୦୦ ଭାରତୀୟଙ୍କୁ ମେ ୭ରୁ ୧୩ ତାରିଖ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସ୍ୱଦେଶ ଫେରାଇ ଆଣବା ପାଇଁ ଭାରତ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିସହ ବିଦେଶରୁ ଭାରତ ଫେରିବାକୁ ଥିବା ଭାରତୀୟମାନଙ୍କ ପାଇଁ କିଛି ନୀତି ଓ ନିୟମ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର। ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ପୂଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଯେ ବିଭିନ୍ନ ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ଏହି ୧୪,୮୦୦ ଭାରତୀୟଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଟିକେଟ ବାବଦ ଦେୟ ଭରଣା କରିବାକୁ ପଡ଼ିବ। ଯେଉଁ ବିମାନ ବନ୍ଦରରୁ ସେମାନେ ଏହି ସ୍ୱତନ୍ତ୍ର ବିମାନରେ ଚଢ଼ିବେ ସେଠାରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ସହ ଡାକ୍ତରୀ ପରୀକ୍ଷା କରାଯିବ। ଯେଉଁମାନଙ୍କ ଠାରେ କରୋନାର ଲକ୍ଷଣ ନଥିବ କେବଳ ସେଇମାନଙ୍କୁ ହିଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ମିଳିବ।

ଏଥିସହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱାସ୍ଥ୍ୟ ଓ ବେସାମରିକ ବିମାନ ଚଳାଚଳ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ସେମାନଙ୍କୁ କରିବାକୁ ପଡ଼ିବ। ପ୍ରତ୍ୟେକଙ୍କୁ ବାଧ୍ୟତାମୂଳକ ଭାବେ ନିଜ ନିଜ ମୋବାଇଲରେ ‘ଆରୋଗ୍ୟ ସେତୁ’ ଆପ୍‌କୁ ଡାଉନଲୋଡ୍‌ କରିବା ସହ ସେଥିରେ ନିଜର ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିସହ ସେମାନେ ନିଜ ନିଜ ରାଜ୍ୟରେ ପହଞ୍ଚିବା ପରେ ସଂପୃକ୍ତ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ। ଯଦି ସେମାନେ ଦେୟଯୁକ୍ତ ବା ଘରୋଇ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଚାହାନ୍ତି; ତେବେ ସେ କ୍ଷେତ୍ରରେ ଉପଲବ୍ଧ ଥିବା ସୁବିଧା ସୁଯୋଗକୁ ଅୁନୁଧ୍ୟାନ କଲାପରେ ହିଁ ସଂପୃକ୍ତ ରାଜ୍ୟ ସରକାରମାନେ ସେମାନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରି ପାରିବେ ବୋଲି ଜାରି ମାର୍ଗଦର୍ଶିକାରେ ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧିତ ଖବର