ଲକ୍‌ଡାଉନ୍‌ ବେଳେ ଜଣେମାତ୍ର ଝିଅକୁ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ୭୦-ସିଟ୍ ଥିବା ବୋଟ୍ ଚଳାଇଲା କେରଳ ରାଜ୍ୟ ଜଳ ପରିବହନ ବିଭାଗ

ଆଲାପ୍ପୁଜା: ସାନ୍ଦ୍ରା ବାବୁ ନାମକ ଜଣେ ଝିଅକୁ ପ୍ଲସ୍ ୱାନ୍ ପରୀକ୍ଷା ଦେବାରେ ସହାୟତା କରିବାକୁ ଶୁକ୍ରବାର ଏବଂ ଶନିବାର ଦିନ କେରଳ ରାଜ୍ୟ ଜଳ ପରିବହନ ବିଭାଗ ଏକ ୭୦ ଆସନବିଶିଷ୍ଟ ବୋଟ୍ ଚଳାଇଥିଲେ। ଜଣେମାତ୍ର ଯାତ୍ରୀଙ୍କୁ ନେଇ ବୋଟ୍‌ଟି ଆଲାପ୍ପୁଜା ଜିଲ୍ଲାର ଏମ୍‌ଏନ୍ ବ୍ଲକ୍‌ରୁ କୋଟ୍ଟାୟାମ୍ ଜିଲ୍ଲା ଅନ୍ତର୍ଗତ କାଞ୍ଜିରାମକୁ ଯାତ୍ରା କରିଥିଲା।

ଲକ୍‌ଡାଉନ୍‌ ଆରମ୍ଭ ହେବା ଦିନରୁ ସମୁଦ୍ର ପତ୍ତନ ଠାରୁ ନିମ୍ନରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟମୟ କୁଟ୍ଟନାଦ ଅଞ୍ଚଳରେ ଯାତ୍ରୀବାହୀ ବୋଟ୍ ସେବା ବନ୍ଦ ଥିଲା। ନିକଟ ଅତୀତରେ ଏଚ୍‌ଏସ୍‌ସି ପରୀକ୍ଷା ନିମନ୍ତେ ପରିବର୍ତ୍ତିତ ତାରିଖ ଘୋଷଣା ହେଲା। କିନ୍ତୁ, ଦିନ ମଜୁରିଆର ଝିଅ ସାନ୍ଦ୍ରା ପ୍ରଥମେ ଧରି ନେଇଥିଲା, ଗମନାଗମନର ଉପାୟ ନ ଥିବାରୁ ଏଥର ସେ ପରୀକ୍ଷା ଦେଇ ପାରିବ ନାହିଁ।

Image Courtesy of Trawell

ଏ ସଂପର୍କରେ ସାନ୍ଦ୍ରା କହିନ୍ତି, ମୁଁ ଭାବିଲି, ସ୍କୁଲ୍‌କୁ ଯିବାକୁ ଅନ୍ୟ କୌଣସି ମାଧ୍ୟମ ନ ଥିବାରୁ ନିଶ୍ଚୟ ପରୀକ୍ଷା ଦେଇ ପାରିବି ନାହିଁ। କିନ୍ତୁ, ପରେ ମୁଁ କେରଳ ରାଜ୍ୟ ଜଳ ପରିବହନ ବିଭାଗ ସହ ଯୋଗାଯୋଗ କରି ତାଙ୍କୁ ମୋର ଦୁର୍ଦ୍ଦଶା କଥା ଅବଗତ କରାଇଲି। ସେମାନେ ମୋର ଅବସ୍ଥା ବୁଝି ଗୋଟାଏ ବୋଟ୍ ପଠାଇବେ ବୋଲି ପ୍ରତିଶ୍ରୁତି ଦେଲେ। ବାସ୍ତବିକ୍ ମୁଁ କେରଳ ରାଜ୍ୟ ଜଳ ପରିବହନ ବିଭାଗ ପାଇଁ ଗୌରବାନ୍ବିତା। ଜାଣେନି କିଭଳି ମୁଁ ମୋର ଖୁସି ବାଣ୍ଟିବି।

Image Courtesy of The Times of India

ଜଣେ ଯାତ୍ରୀ ଥିବା ସତ୍ତ୍ବେ ଏହି ବୋଟ୍‌ଟି ନିର୍ଦ୍ଧାରିତ ରୀତିରେ ଆସିଥିଲା। ଏଥିରେ ଥିଲେ ଜଣେ ଡ୍ରାଇଭର୍, ଜଣେ ଦିଗ ନିର୍ଣ୍ଣାୟକ, ଜଣେ ବୋଟ୍‌ ମାଷ୍ଟର୍ ଏବଂ ଦୁଇ ଜଣ ଲାସ୍କାର। ଦୁଇ ଦିନ ଧରି ଏହି ବୋଟ୍‌ଟି ଠିକ୍ ଦିନ ୧୧: ୩୦ ମିନିଟ୍‌ରେ ୧୭ ବର୍ଷୀୟ ସାନ୍ଦ୍ରାଙ୍କ ଘର ପାଖରେ ଥିବା ଗୋଟାଏ ଜେଟ୍ଟିରୁ ନେଇ ମଧ୍ୟାହ୍ନ ୧୨ଟା ବେଳେ କାଞ୍ଜିରାମସ୍ଥିତ ଏସ୍‌ଏନ୍‌ଡିପି ହାଇୟର ସେକେଣ୍ଡାରି ସ୍କୁଲ୍ ସମ୍ମୁଖରେ ଥିବା ଜେଟ୍ଟିରେ ପହଞ୍ଚାଉଥିଲା।

ପରୀକ୍ଷା ସରିବା ଯାଏଁ ବୋଟ୍‌ ସେଠାରେ ଅପେକ୍ଷା କରୁଥିଲା ଏବଂ ପୁଣି ସାନ୍ଦ୍ରଙ୍କୁ ଆଣି ଅପରାହ୍ଣ ପ୍ରାୟ ୪ଟା ବେଳେ ତାଙ୍କ ଘରପାଖ ଜେଟ୍ଟୀରେ ଓହ୍ଲାଇ ଦେଉଥିଲା। ଯିବା ୯ ଟଙ୍କା ଓ ଫେରିବା ୯ ଟଙ୍କା, ଏମିତି ବୋଟ୍‌ ଟିକିଟ ବାବଦରେ ଦୈନିକ ସାନ୍ଦ୍ରାଙ୍କ ଠାରୁ ୧୮ ଟଙ୍କା ନିଆଯାଉଥିଲା। ସାନ୍ଦ୍ରାଙ୍କୁ ସହାୟତା କରି କେରଳ ରାଜ୍ୟ ଜଳ ପରିବହନ ବିଭାଗ ଏବେ ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛି।

ସମ୍ବନ୍ଧିତ ଖବର