ଅଳ୍ପକେ ବର୍ତ୍ତିଲେ ତୋଗାଡ଼ିଆ, ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡ଼ିଆ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁରଟ୍‌ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଆଜି ତୋଗାଡ଼ିଆ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କ ସହ ଯାଉଥିବା ବେଳେ ତାଙ୍କ କାର୍‌କୁ ପଛପଟୁ ଏକ ଧକ୍କା ଦେଇଥିଲା। ତେବେ ଏହି ଦୁର୍ଘଟଣାରେ ତୋଗାଡ଼ିଆଙ୍କର କୌଣସି କ୍ଷତି ହୋଇନାହିଁ। କାମରେଜ୍‌ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷେ ତୋଗାଡ଼ିଆ ଦାବି କରିଛନ୍ତି ଯେ ଗୁଜରାଟ ସରକାର ତାଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷାକୁ ଦୁର୍ବଳ କରିଦେଇଛନ୍ତି ଏବଂ ଏହା ତାଙ୍କୁ ହତ୍ୟା କରିବା ନେଇ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଛି । ସେ କହିଛନ୍ତି ଯଦି ତାଙ୍କ ଏସୟୁଭି ବୁଲେଟ ପ୍ରୁଫ୍‌ ହୋଇ ନଥାନ୍ତା ତେବେ ତାଙ୍କୁ ସୁନିଶ୍ଚିତ ହତ୍ୟା କରାଯାଇଥାନ୍ତା । ତୋଗାଡ଼ିଆଙ୍କ କହିବା ଅନୁଯାୟୀ ଜେଡ୍‌ ପ୍ଲସ୍‌ ସିକ୍ୟୁରିଟି ପ୍ରୋଟକଲ୍‌ ଅନୁଯାୟୀ ତାଙ୍କୁ ପୂର୍ବରୁ ଏକ ପାଇଲଟ୍‌ ଯାନ ଦିଆଯାଇଥିଲା ଯାହା ତାଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରୁଥିଲା। ଏହାବାଦ୍‌ ତାଙ୍କୁ ଏକ ଏସ୍‌କର୍ଟ ଗାଡ଼ି ଏବଂ ଏକ ଆମ୍ବୁଲାନ୍ସ ମଧ୍ୟ ଦିଆଯାଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରିନିଆଯାଇଛି । ପୂର୍ବରୁ ତୋଗାଡ଼ିଆ ତାଙ୍କୁ ଏନ୍‌କାଉଣ୍ଟରରେ ମାରିଦେବା ନେଇ ଯୋଜନା ଚାଲିଛି ବୋଲି ଅଭିଯୋଗ ଆଣିଥିଲେ। ଆଜି ଏହି ଦୁର୍ଘଟଣାକୁ ନେଇ ତୋଗାଡ଼ିଆ ଗୁଜରାଟ ସରକାରଙ୍କୁ ଦାୟୀ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର