ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ

ଅଗରତଲା: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଆଜି ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟଙ୍କ ନିକଟରେ ଦାଖଲ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଏହି ସୂଚନା ଦେଇଛି। ତେବେ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି, ତାହା ପ୍ରଥମେ ଜଣା ପଡି ନଥିବା ବେଳେ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ନିଷ୍ପତ୍ତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନିଜ ପଦ ଛାଡିଛନ୍ତି। ଏଥିସହ ସେ କହିଛନ୍ତି ଯେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଆଉ ବର୍ଷକ ପରେ। ତେଣୁ ସେ ଦଳକୁ ଜିତାଇବା ଲାଗି ତୃଣମୂଳସ୍ତରରେ ସାଧାରଣ କର୍ମୀଭାବେ କାମ କରିବେ। ସେଥିପାଇଁ ପଦରୁ ଇସ୍ତଫା ଦେଇଛନ୍ତି। ପୁଣି ଥରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବ ବୋଲି କହିଛନ୍ତି।

ତାଙ୍କ ପରେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ପ୍ରଶ୍ନ ପଚରାଯିବା ପରେ କୌଣସି ଉତ୍ତର ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର। ତେବେ ବିପ୍ଲବ ଦେବଙ୍କ ବିଷୟରେ ସଂଗଠନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୁଇ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଜେପି କୌଣସି ବିପଦ ଚାହୁଁନଥିବାରୁ ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିବା ଚର୍ଚ୍ଚା ହେଉଛି।

एक दिन पहले गृहमंत्री अमित शाह से की थी मुलाकात (फाइल फोटो)
aajtak

ଆସନ୍ତା ବର୍ଷ ୨୦୨୩ ମସିହାରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ସହ ତ୍ରିପୁରାରେ ଏନେଇ ବିଜେପି ବଡ଼ ଧରଣର ଅଦଳବଦଳ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇସ୍ତଫା ପରେ ବିପ୍ଲବ କୁମାର ଦେବ ସଂଗଠନର ଯେକୌଣସି ପଦବୀ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି।

ବିପ୍ଲବ କୁମାର ଦେବଙ୍କ ଇସ୍ତଫା ନେଇ ତୃଣମୂଳ କଂଗ୍ରେସ ତାଙ୍କୁ କଟାକ୍ଷ କରିଛି। ତୃଣମୂଳ କଂଗ୍ରେସ ଟୁଇଟ୍ କରି କହିଛି, ବିପ୍ଲବ କୁମାର ଦେବ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ସେ ପୂର୍ବରୁ ବହୁତ କ୍ଷତି କରିସାରିଛନ୍ତି। ଏହି କାରଣରୁ ତାଙ୍କ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ତାଙ୍କ ନିଷ୍କ୍ରିୟତାକୁ ନେଇ ବିରକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର