ଶ୍ରବଣ ଶକ୍ତି ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ହେବ ଟିଭି କାର୍ଯ୍ୟକ୍ରମ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର

ନୂଆଦିଲ୍ଲୀ : ଶ୍ରବଣଶକ୍ତି ବାଧିତ ଦିବ୍ୟାଙ୍ଗ ବୁଝିପାରିବା ଭଳି ଟିଭି କାର୍ଯ୍ୟକ୍ରମମାନ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ପ୍ରକାଶ ଜାଭଡ଼େକର। କାର୍ଯ୍ୟକ୍ରମ ପ୍ରସାରଣରେ କ୍ୟାପସନ ଓ ସାଂକେତିକ ଭାଷା ଉପଯୋଗ କରାଯାଇ ଏହି ମାନକ ଲାଗୁ କରାଯିବ। ଜାଭଡେକର ଘୋଷଣା କରିଛନ୍ତି ଯେ,  ସମସ୍ତ ସମାଚାର ସରବରାହ ଚ୍ୟାନେଲ ଦିନକୁ ଅନ୍ତତଃ ଗୋଟିଏ ନ୍ୟୁଜ ବୁଲେଟିନ ସାଙ୍କେତିକ ଭାଷା ସହ ପ୍ରସାରଣ କରିବେ।

ସେହିପରି ସମସ୍ତ ଟିଭି ଚ୍ୟାନେଲ ଓ ସେବା ପ୍ରଦାନକାରୀ ସପ୍ତାହକୁ ଅତିକମରେ ଗୋଟିଏ କାର୍ଯ୍ୟକ୍ରମ ସବଟାଇଟଲ ଓ କ୍ୟାପସନ ସହ ପ୍ରସାରଣ କରିବେ। ତେବେ ସିଧା ପ୍ରସାରଣ ହେଉଥିବା ସମାଚାର, କ୍ରୀଡ଼ା, ସଙ୍ଗୀତ, ପୁରସ୍କାର ସମାରୋହ, ରିଅଲିଟି ଶୋ’, ବିତର୍କ, ବିଜ୍ଞାପନ, ଟେଲି ସପିଂ କାର୍ଯ୍ୟକ୍ରମ ଆଦିକୁ ଏଥିରୁ ବାଦ୍ ଦିଆଯାଇଛି।  ସରକାରଙ୍କ ଏହି ନିର୍ଦ୍ଦେଶନାମା ୧୬ ସେପ୍ଟେମ୍ବର ୨୦୧୯ରୁ ଲାଗୁହେବ । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ମାନକ ପର୍ଯ୍ୟାୟ କ୍ରମେ ଲାଗୁହେବ। ଆଳାପ ମଧ୍ୟରେ ବର୍ଣ୍ଣନା ସୁବିଧା ଜରିଆରେ ଶ୍ରବଣବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଚଳଚ୍ଚିତ୍ରରେ ଏପରି ମାନକ ଲାଗୁ କରାଯିବା ପ୍ରସ୍ତାବ ବିଚାରାଧୀନ ରହିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର