ଅକ୍ସିଜେନ୍‌ ଅଭାବରୁ ୨୫ କୋଭିଡ୍‌ ରୋଗୀ ମୃତ

ନୂଆଦିଲ୍ଲୀ : ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀର ଜୟପୁର ଗୋଲ୍ଡେନ୍‌ ହସ୍ପିଟାଲ୍‌ରେ ୨୫ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଗତକାଲି ହସ୍ପିଟାଲ୍‌ର କ୍ରିଟିକାଲ୍‌ କେୟାର ବିଭାଗରେ ଚିକିତ୍ସାଧୀନ ଥିବା ୨୫ ରୋଗୀଙ୍କର ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ହସ୍ପିଟାଲ୍‌ର ଡାଇରେକ୍ଟର ଡାକ୍ତର ଡିକେ ବାଲୁଜା କହିଛନ୍ତି, ସରକାରଙ୍କ ପକ୍ଷରୁ ହସ୍ପିଟାଲ୍‌କୁ ୩.୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ମିଳିବାର ଥିଲା। ଏହି ଯୋଗାଣ ସନ୍ଧ୍ୟା ୫ଟାରେ ପହଞ୍ଚିବାର ଥିଲା। କିନ୍ତୁ ଅକ୍ସିଜେନ୍‌ ହସ୍ପିଟାଲ୍‌ରେ ପହଞ୍ଚିବାବେଳକୁ ମଧ୍ୟରାତ୍ରୀ ହୋଇଯାଇଥିଲା ଏବଂ ସେତେବେଳକୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା। ହସ୍ପିଟାଲ୍‌ରେ ଥିବା ୨୧୫ କୋଭିଡ୍‌ ରୋଗୀ ଅତି ଗୁରୁତର ଅଛନ୍ତି ଏବଂ ସେମାନଙ୍କୁ ଅକ୍ସିଜେନ୍‌ ଆବଶ୍ୟକ ବୋଲି ଡାକ୍ତର ଡିକେ ବାଲୁଜା କହିଛନ୍ତି।

ଜୟପୁର ଗୋଲ୍ଡେନ୍‌ ହସ୍ପିଟାଲ୍‌ ଏବେ ସହାୟତା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ହସ୍ପିଟାଲ୍‌ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି, ଆମ ହସ୍ପିଟାଲ୍‌ରେ ଆଉ କିଛି ମିନିଟ୍‌ ମଧ୍ୟରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିବ। ଆମେ ୨୫ ଜୀବନ ହରାଇ ସାରିଲୁଣି ବୋଲି ହସ୍ପିଟାଲ୍‌ ପକ୍ଷରୁ ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଦିଲ୍ଲୀକୁ ତୁରନ୍ତ ଅକ୍ସିଜେନ୍‌ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର