କୁଲଗାମ ଏନକାଉଣ୍ଟର: ଜଣେ ପାକିସ୍ତାନୀ ସମେତ ଦୁଇଜଣ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା। କୁଲଗାମର ଖୁରବତପୁରା ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀର ଗୁଳିରେ ନିହତ ହୋଇଛନ୍ତି ଜଣେ ପାକିସ୍ତାନୀ ସମେତ ଦୁଇଜଣ ଆତଙ୍କବାଦୀ। ଏହି ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। କଶ୍ମୀରର ଆଇଜିପି ବିଜୟ କୁମାରଙ୍କ ସୂଚନା ମୁତାବକ, ଏବେ ବି ସେହି ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି।

ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଖୁରବତପୁରା ଅଞ୍ଚଳରେ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହା ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଜବାବ ଦେଇଥିଲେ ସୁରକ୍ଷା ବାହିନୀ। କିଛି ସମୟ ଗୁଳି ବିନିମୟ ହେବା ଜଣେ ପାକିସ୍ତାନୀ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହାପୂର୍ବରୁ ରବିବାର ଦିନ ଶ୍ରୀନଗରରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଜଣ ପାକିସ୍ତାନୀ ଲସ୍କର-ଇ-ତଇବାର ଆତଙ୍କବାଦୀ ନିହତ ହୋଇଥିଲେ। ଏପ୍ରିଲ ୪ତାରିଖ ଦିନ ସିଆରପିଏଫ କର୍ମଚାରୀଙ୍କ ଉପରେ ଆକ୍ରମଣ ହେବା ଦିନଠାରୁ ପୁଲିସ ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଖୋଜାଖୋଜି କରିଥିଲା ​​ଏବଂ ରବିବାର ଦିନ ସେମାନଙ୍କ ଅବସ୍ଥିତି ଜାଣିବା ପରେ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା। ତଲାସକାରୀ ଦଳ ଘଟଣାସ୍ଥଳର ନିକଟତର ହେବାରୁ ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିର୍ବିଚାର ଭାବେ ସେମାନଙ୍କୁ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର