ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼: ମ୍ୟାଜିକ ନମ୍ବର ଥିବା ନେଇ ଋଷି, ବୋରିସ୍‌ ସମର୍ଥକଙ୍କ ଦାବି

ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା କଞ୍ଜରଭେଟିଭ ପାର୍ଟିର ନେତା ହେବା ପାଇଁ ଜଣଙ୍କୁ ୧୦୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେବେ ଏହି ମ୍ୟାଜିକ ନମ୍ବର ଉଭୟଙ୍କ ପାଖରେ ରହିଛି ବୋଲି ଭାରତୀୟ ବଂ‌ଶୋଦ୍ଭବ ଋଷି ସୁନକ ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମର୍ଥକମାନେ ଦାବି କରିଛନ୍ତି। ଅଫିସିଆଲି ଋଷି ସୁନକ ଏବଂ ବୋରିସ ଜନସନ ନେତା ଦୌଡ଼ରେ ପ୍ରତିଯୋଗିତା କରି‌ବା ନେଇ ସେମାନଙ୍କ ଆଭିମୁଖ୍ୟ ଘୋଷଣା କରିସାରିଥିବା ବେଳେ ଅନ୍ୟତମ ଆଶାୟୀ ପେନି ମୋରଡଣ୍ଟ ମଧ୍ୟ ଆନୁଷ୍ଠାନିକ ଭାବେ ତାଙ୍କ ପ୍ରାର୍ଥିତ୍ବ ସଂପର୍କରେ ଘୋଷଣା କରିଛନ୍ତି। କଞ୍ଜରଭେଟିଭ ପାର୍ଟିର କିଛି ନେତା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଦେଶକୁ ସ୍ଥିର ଶାସନ ଦେବା ସହିତ ଲକ୍ଷ ଲକ୍ଷ ଶ୍ରମିକ ଏବଂ ବ୍ୟବସାୟୀଙ୍କ ପାଇଁ ଭଲ କାମ କରିବେ ବୋଲି ଭାବୁଛନ୍ତି। ଅନ୍ୟପକ୍ଷେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବୋରିସ ଜନସନଙ୍କ ପଛରେ ୬ ଜଣ କ୍ୟାବିନେଟ ମନ୍ତ୍ରୀଙ୍କର ସମର୍ଥନ ରହିଛି। ତାଙ୍କୁ ସର୍ବସାଧାରଣରେ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ୫୩ ରହିଛି।

ସେମାନଙ୍କ ମଧ୍ରରେ ପୂର୍ବତନ ଗୃହମନ୍ତ୍ରୀ ପ୍ରୀତି ପଟେଲ ରହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଯୋଗିତା କରିବା ଲାଗି ଆବଶ୍ୟକ ୧୦୦ ସାଂସଦଙ୍କ ସମର୍ଥନ ସେ ସୋମବାର ସୁଦ୍ଧା ହାସଲ କରିବେ ବୋଲି ତାଙ୍କ ଅନୁଗତମାନେ ଆଶା ରଖିଛନ୍ତି। ହାଉସ ଅଫ କମନ୍ସରେ କଞ୍ଜରଭେଟିଭ ପାର୍ଟିର ୩୫୭ ଜଣ ସାଂସଦ ରହିଛନ୍ତି। ତେଣୁ ‌ଯଦି ଜଣେ ପ୍ରାର୍ଥୀ ୧୫୬ ସାଂସଦଙ୍କ ସମର୍ଥନ ଯୋଗାଡ଼ କରିପାରନ୍ତି ତାହେଲେ ନିର୍ବାଚନରେ ଦ୍ବିମୁଖୀ ପ୍ରତିଯୋଗିତା ହେବ।
ଅନ୍ୟ ଏକ କଳ୍ପନାଜଳ୍ପନା ମଧ୍ୟ ପ୍ରକାଶ ପାଉଛି। ତାହ‌ାହେଲା ବୋରିସ ଜନସନ ଓ ଋଷି ସୁନକ କୌଣସି ରାଜିନାମା ମଧ୍ୟ କରିପାରନ୍ତି। ନୂଆ କ୍ୟାବିନେଟରେ ଋଷିଙ୍କୁ ବୋରିସ କିମ୍ବା ବୋରିସ ସୁନକଙ୍କୁ ସ୍ଥାନ ଦେବା ନେଇ ଆଲୋଚନା ରାଜିନାମା ହୋଇପାରେ।

ସମ୍ବନ୍ଧିତ ଖବର