ଋଷ ସେନାର ଶିକାର ହେଲା ୟୁକ୍ରେନର ସାମରିକ ବିମାନ, ଭିତରେ ଥିଲେ ୧୪ଜଣ

ନୂଆଦିଲ୍ଲୀ: ୟୁକ୍ରେନର ଛାତିକୁ ଚିରି ଚାଲିଛି ଋଷ। କିଭକୁ ପ୍ରବେଶ କରିବା ପ‌ରେ ଋଷ ସେନା ୟୁକ୍ରେନର ସାମରିକ ବିମାନକୁ ଟାର୍ଗେଟ କରିଛି। ଋଷର ଆକ୍ରମଣରେ ୟୁକ୍ରେନର ସାମରିକ ବିମାନ ଧ୍ବଂସ ହୋଇଥିବା ବେଳେ ଭିତରେ ପ୍ରାୟ ୧୪ଜଣ ଲୋକ ଭିତଲେ ଥିବା ନେଇ ସୂଚନା ମିଳୁଛି। ବିମାନଟି ରାଜଧାନୀ କିଭ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିଥିବା ପଡ଼ିଥିବା ନେଇ ଖବର ମିଳିଥିବା ‌ବେଳେ ମୃତାହତଙ୍କ କୌଣସି ସୂଚନା ମିଳିପାରିନାହିଁ।

ଉତ୍ତର କିଭରେ ଋଷର ସେନା ପ୍ରବେଶ କରୁଥିବା ବେଳେ ଋଷ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ କରିସାରିଥିବା କହିଛି ୟୁକ୍ରେନ। ଏହା ସହ ଋଷ ସେନା କିଭର ହୋଷ୍ଟମେଲ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି। କିଭ ସହ ଋଷର ସୈନ୍ୟମାନେ ୟୁକ୍ରେନର ଓଡେସା ସହରରେ ମଧ୍ୟ ପ୍ରବେଶ କରୁଥିବା ନେଇ ଖବର ମିଳିଛି| କୁହାଯାଉଛି ଯେ ଋଷ ଓଡେସା ଉପରେ ଆକ୍ରମଣ କରିବାରୁ ୧୮ଜଣଙ୍କର ପ୍ରାଣହାନୀ ଘଟିଛି। ଏହାକୁ ନଜରରେ ରଖି ୟୁକ୍ରେନ ସରକାର ସମସ୍ତ ବନ୍ଦରକୁ ବନ୍ଦ କରିଦେଇଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନକୁ ସମର୍ଥନ କରି ନାଟୋ ତୁରନ୍ତ ଋଷକୁ ସୈନ୍ୟ ଫେରାଇନେବାକୁ କହିଛି । ନାଟୋର ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ଯେ, ଆନ୍ତର୍ଜାତୀୟ ନିୟମକୁ ଋଷ ନିଶ୍ଚିତ ଭାବରେ ସମ୍ମାନ ଦେବା ଉଚିତ୍। ରୁଷର ଉଦ୍ଦେଶ୍ୟ ଉପରେ ବିଶ୍ୱ ନଜର ରଖିଛି। ଋଷ ଏବେ ୟୁକ୍ରେନ ଉପରେ ଏହାର ଶକ୍ତି ବ୍ୟବହାର କରୁଛି। ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଏକ ଅପ୍ରାକୃତିକ ତଥା ଅବାଞ୍ଛିତ ଆକ୍ରମଣ ବୋଲି ସେ କହିଛନ୍ତି।

ଏହା ସହ ସେ କହିଛନ୍ତି ଯେ, ଆମର ୧୦୦ରୁ ଅଧିକ ଯୁଦ୍ଧ ବିମାନ ବାୟୁସେନାକୁ ଜଗି ରହିଛି ଏବଂ ଉତ୍ତରରୁ ଭୂମଧ୍ୟସାଗର ପର୍ଯ୍ୟନ୍ତ ସମୁଦ୍ରରେ ୧୨୦ରୁ ଅଧିକ ଯୁଦ୍ଧ ଜାହାଜକୁ ନିୟୋଜିତ କରାଯାଇଛି। ଆମର ସହଯୋଗୀ ଦେଶକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ।

ସମ୍ବନ୍ଧିତ ଖବର