କିବ୍‌ ଫେରନ୍ତା ପଥରେ କାର୍‌ ଦୁର୍ଘଟଣା ଘଟି ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ସାମାନ୍ୟ ଆହତ

କିବ୍‌: ଗୁରୁବାର ପ୍ରତ୍ୟୁଷରେ ଯୁଦ୍ଧକ୍ଷେତ୍ର ପରିଦର୍ଶନ ସାରି ଫେରିବା ପଥରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ କାର୍‌ ଅନ୍ୟ ଗୋଟାଏ ଗାଡ଼ି ସହିତ ଧକ୍କା ଖାଇଛି, କିନ୍ତୁ ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ନ ଥିବା କଥା ତାଙ୍କ ମୁଖପାତ୍ର କହିଛନ୍ତି।

ରୁଷ୍‌ କବଳରୁ ମୁକ୍ତ ହୋଇଥିବା ଖାର୍‌କିଭ୍‌ ଅଞ୍ଚଳର ଇଜିୟମ୍‌ ନଗରୀରେ ସୈନିକମାନଙ୍କୁ ଭେଟି ଜେଲେନ୍‌ସ୍କି କିବ୍‌ ପ୍ରତ୍ୟାବର୍ତ୍ତନ କରୁଥିଲେ।

‘ଫେସ୍‌ବୁକ୍‌ ପୋଷ୍ଟ୍‌’ରେ ତାଙ୍କର ମୁଖପାତ୍ର ସେର୍ଗେଇ ନିକିଫୋରୋଭ୍‌ କହିଛନ୍ତି, ୟୁକ୍ରେନୀୟ ରାଜଧାନୀରେ ରାଷ୍ଟ୍ରପତିଙ୍କ ‘ମୋଟର୍‌କେଡ୍‌’ ସହିତ ଗୋଟାଏ ଯାତ୍ରୀବାହୀ ଯାନ ଧକ୍କା ଖାଇଥିଲା।

Image Courtesy of India Today

ଜେଲେନ୍‌ସ୍କିଙ୍କ ଡାକ୍ତରୀ ଟିମ୍‌ ଆହତ ହୋଇଥିବା ଯାତ୍ରୀବାହୀ ଯାନର ଡ୍ରାଇଭର୍‌ଙ୍କର ପ୍ରାଥମିକ ଉପଚାର କରିବା ପରେ ଆମ୍ବୁଲାନ୍‌ସ୍ ଯୋଗେ ନେଇଯାଇଥି‌ବା କଥା ମୁଖପାତ୍ରଜଣକ କହିଛନ୍ତି। ଚିକିତ୍ସକମାନେ ବିଶେଷ ଆହତ ହୋଇ ନ ଥିବା ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କର ସ୍ବାସ୍ଥ୍ୟ ମଧ୍ୟ ପରୀକ୍ଷା କରିଥିଲେ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତା’ର ତଦନ୍ତ ଚାଲିଥିବା କଥା ନିକିଫୋରୋଭ୍‌ କହିଛନ୍ତି।

ବୋଧହୁଏ କାର୍‌ ଦୁର୍ଘଟଣା ଯୋଗୁଁ ଜେଲେନ୍‌ସ୍କି ଯୁଦ୍ଧ ସମୟରେ ଦେଉଥିବା ରାତ୍ରକାଳୀନ ଭିଡିଓ ସମ୍ବୋଧନ ପୋଷ୍ଟ୍‌ କରିବାରେ ବିଳମ୍ବ ଘଟିଥିଲା। ଏଥିରେ ଜେଲେନ୍‌ସ୍କି ସୂଚନା ଦେଇ କହିଛନ୍ତି କି, ଏହିକ୍ଷଣି ସେ ଖାର୍‌କିଭ୍‌ ଅଞ୍ଚଳରୁ ଫେରିଛନ୍ତି ଏବଂ ଭୀଷଣ ପ୍ରତିଆକ୍ରମଣ କରାଯାଇ ସେ ଅଞ୍ଚଳରୁ ରୁଷ୍‌ ଅକ୍ତିଆରରୁ ମୁକ୍ତ କରାଯାଇଛି। ଏହା ଆମ ସୈନିକମାନଙ୍କ ପାଇଁ ଅଭୂତପୂର୍ବ ସମୟ। କାରଣ ଅନେକ ଯାହା ଅସମ୍ଭବ ମନେକରୁଥିଲେ, ୟୁକ୍ରେନୀୟମାନେ ତାହା ପୁନର୍ବାର ସମ୍ଭବ କରିଛନ୍ତି।

ସମ୍ବନ୍ଧିତ ଖବର