ଧାନର ଏମଏସପି ୨୧୮୩ ଟଙ୍କାକୁ ବୃଦ୍ଧି, କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଧାନ, ହରଡ଼, ହରଡ଼ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷକାରେ ବସିଥିବା କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଧାନର ଏମଏସପି ୨୧୮୩ ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଗ ଡାଲିର ସହାୟକ ମୂଲ୍ୟରେ ସରକାର ୧୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏହି ନିଷ୍ପତ୍ତି ପରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୋୟଲ କହିଛନ୍ତି ଯେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରାଥମିକତା ରହିଛି। ପୃଥିବୀର ଅନେକ ଦେଶରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୩୦%ରୁ ୪୦%କୁ ବୃଦ୍ଧି ପାଇଥିବା ବେଳେ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି, ଖୁବ୍ କମ୍ ସମୟ ପାଇଁ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଥିବା ବେଳେ ଏମଏସପି ବୃଦ୍ଧି କୃଷକମାନଙ୍କୁ ଫାଇଦା ଦେବ ।

ସେ କହିଛନ୍ତି, ସାଧାରଣ ଗ୍ରେଡ୍ ଧାନର ଏମଏସପି କୁଇଣ୍ଟାଲ ପିଛା ୨୦୪୦ ଟଙ୍କାରୁ ୧୪୩ ଟଙ୍କା ବୃଦ୍ଧି କରାଯାଇ ୨୧୮୩ ଟଙ୍କା କରାଯାଇଛି। ‘ଏ’ ଗ୍ରେଡ୍ ଧାନର ଏମଏସପି କୁଇଣ୍ଟାଲ ପିଛା ୧୬୩ ଟଙ୍କା ବୃଦ୍ଧି କରାଯାଇ ୨୨୦୩ ଟଙ୍କା କରାଯାଇଛି। ମୁଗର ଏମଏସପି ଏବେ କ୍ୱିଣ୍ଟାଲ ପିଛା ୮୫୫୮ ଟଙ୍କାକୁ ବୃଦ୍ଧି ପାଇଛି । ଗତବର୍ଷ ଏହା କ୍ୱିଣ୍ଟାଲ ପିଛା ୭୭୫୫ ଟଙ୍କା ଥିଲା ।

 

ସମ୍ବନ୍ଧିତ ଖବର